ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଲାଗି କୌଣସି ରହିତାଦେଶ ଜାରି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ଏଥିସହ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା ଓ ଛତିଶଗଡ଼କୁ ଜନଶୁଣାଣି କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୋମବାର ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ପୋଲାଭରମ୍‌ ମାମଲାର ଶୁଣାଣି ହୋଇଛି। ଓଡ଼ିଶା ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଲାଗି ଆବେଦନ କରାଯାଇଥିଲା। ଏହାକୁ ଗ୍ରହଣ ନ କରି କୋର୍ଟ ମତ ରଖିଥିଲେ କି ଓଡ଼ିଶା ଜନଶୁଣାଣି କରିବା ଲାଗି ଅଧିକୃତ। ତେଣୁ ଜନଶୁଣାଣି କରାଯାଏ।

ଅନ୍ୟପକ୍ଷରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା କି ପୋଲାଭରମ୍‌ ପ୍ରକଳ୍ପର ନକ୍ସାରେ ପରିବର୍ତ୍ତନ ହୋଇଛି। ପ୍ରକଳ୍ପର ଉଚ୍ଚତା ବଢ଼ା ଯାଇଥିବାରୁ ଏହାର ପ୍ରଭାବ ସଂପର୍କରେ ସଠିକ ଆକଳନ ଲାଗି ଆନ୍ଧ୍ର ସରକାର ପରିବର୍ତ୍ତିତ ନକ୍ସା ସଂପର୍କିତ ତଥ୍ୟ ଦେବା ଦରକାର। ତା’ପରେ ଯାଇ ଜନଶୁଣାଣି ହୋଇପାରିବ।

ଏହା ଉପରେ ମତ ରଖି ସୁପ୍ରିମ୍‌କୋର୍ଟ କହିଛନ୍ତି କି ଓଡ଼ିଶା ଓ ଛତିଶଗଡ଼ ଯେଉଁ ତଥ୍ୟ ଚାହୁଁଛନ୍ତି ତାହାର ଏକ ଚିଠା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ। ତଥ୍ୟ ପାଇସାରିବା ପରେ ଦୁଇ ରାଜ୍ୟ ଜନଶୁଣାଣି କରିବେ।