ଚଳିତ ମାସରେ ଓଡ଼ିଶାର ୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତ ବର୍ଷ ଓଡ଼ିଶା ସମ୍ପର୍କିତ ଏକାଧିକ ଚର୍ଚ୍ଚିତ ମାମଲାର ଶୁଣାଣି କରି ସୁପ୍ରମକୋର୍ଟ ରାୟ ଓ ଆଦେଶ ଜାରି କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଓଡ଼ିଶାର ଅନେକ ପ୍ରମୁଖ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପର ନଜର ରହିବ। ସବୁଠାରୁ ଗୁଚୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ମାସରେ ଓଡ଼ିଶା ସମ୍ପର୍କିତ ୫ଟି ଭିନ୍ନ ଭିନ୍ନ ମାମଲାର ଶୁଣାଣି ହେବ, ସେ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି। ବହୁ ପ୍ରତୀକ୍ଷିତ ଇନ୍ଦିରା ସାଗର ପୋଲାଭରମ୍ ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାକୁ ବିରୋଧ କରାଯାଇ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଓରିଜିନାଲ ସୁଟର ଶୁଣାଣି କରାଯାଇ ନିର୍ଦ୍ଦେଶନାମା ଜାରି କରାଯିବ। ଦୀର୍ଘ ଦିନରୁ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରସଙ୍ଗଗୁଡ଼ିକୁ ଧାର୍ଯ୍ୟ କରିଥିବା ବେଳେ ମାମଲାର ଶୁଣାଣିରେ ଅହେତୁକ ବିଳମ୍ବ ହେବା ଯୋଗୁଁ ରାଜ୍ୟ ସରକାରଙ୍କ ଦ୍ବାରା ଏହାର ତ୍ବରିତ ଶୁଣାଣି ପାଇଁ ଗତ ଡିସେମ୍ବରରେ ଆବେଦନ କରାଯାଇଥିଲା।

ଦ୍ବିତୀୟ ପ୍ରମୁଖ ମାମଲା ହେଉଛି ବଂଶଧାରା ଜଳବିବାଦ ମାମଲା। ବଂଶଧାରା ଜଳବିବାଦକୁ ନେଇ ଓଡ଼ିଶା ଦ୍ବାରା ଦୁଇଟି ଭିନ୍ନ ଭିନ୍ନ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ବଂଶଧାରା ମାମଲାର ମଧ୍ୟ ଚଳିତ ମାସରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ପକ୍ଷରୁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟକୁ ବିରୋଧ କରି ୨୦୧୭ ଡିସେମ୍ବରରେ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରାଯାଇଥିବା ବେଳେ ଗତ ବର୍ଷ ସେପ୍ଟେମ୍ବର ୨୩ରେ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ଯୁଗ୍ମ ସର୍ଭେ ପାଇଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରୀୟ ଜଳ ଆୟୋଗକୁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଅନ୍ତରୀଣ ନିର୍ଦ୍ଦେଶ ଦେବା ବିରୁଦ୍ଧରେ ଓଡ଼ିଶା ଏହି ନିର୍ଦ୍ଦେଶାନାମାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ଚଳିତ ମାସରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଏହି ଦୁଇଟି ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇବାର ସମ୍ଭାବନା ରହିଛି।

ତୃତୀୟ ପ୍ରସଙ୍ଗ ହେଉଛି ଶ୍ରୀମନ୍ଦିର ସଂସ୍କାର ମାମଲା। ଶ୍ରୀମନ୍ଦିର ସଂସ୍କାର ମୂଳ ମାମଲାର ଶୁଣାଣି କରାଯିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ତ୍ବରିତ ପଦକ୍ଷେପ ନେବାକୁ ଗତ ନଭେମ୍ବର ୪ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ରାଜ୍ୟ ସରକାରଙ୍କୁ ଯେଉଁ ୮ ସପ୍ତାହର ସମୟ ଦିଆଯାଇଥିଲା ସେନେଇ ନିର୍ଦ୍ଦେଶର ଅନୁପାଳନର ସୁପ୍ରିମକୋର୍ଟ ସମୀକ୍ଷା କରିବେ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଦାଖଲ କରାଯିବାକୁ ଥିବା ସତ୍ୟପାଠ ଅନୁସାରେ ସର୍ବୋଚ୍ଚ ନ୍ୟାୟଳୟ ପରବର୍ତ୍ତୀ ପଦକ୍ଷେପ ନେବାର ସମ୍ଭାବନା ରହିଛି।

ଚତୁର୍ଥ ପ୍ରସଙ୍ଗ ହେଉଛି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି କରି ଆଇନଜୀବୀମାନଙ୍କ ଦ୍ବାରା ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ମାମଲାର ଶୁଣାଣି। ଆନ୍ଦୋଳନ ଓ କାର୍ଯ୍ୟବନ୍ଦକୁ ନେଇ ଗତ ମାସରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶଗୁଡ଼ିକର ପାଳନ ତଥା ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟ ଅବଗତ ହେବେ। ଏତଦ୍ ବ୍ୟତୀତ ଏହି ପ୍ରସଙ୍ଗ ସମେତ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ହାଇକୋର୍ଟମାନଙ୍କରେ ଖାଲି ପଡ଼ିଥିବା ବିଚାରପତିଙ୍କର ନିଯୁକ୍ତି ସମ୍ପର୍କରେ ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହେବ।

ଚଳିତ ମାସରେ ଶୁଣାଣି ହେବାକୁ ଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଞ୍ଚମ ପ୍ରସଙ୍ଗ ହେଲା ବେଆଇନ ଖଣି ଖନନ ଅଭିଯୋଗରେ ସୁପ୍ରିକୋର୍ଟଙ୍କ ନିଯୁକ୍ତ ଦୁଇଜଣିଆ କମିଟି ଦ୍ବାରା ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁସାରେ ଖଣି ଲିଜଧାରୀ ମାନଙ୍କ ପାଇଁ ସୁପ୍ରମିକୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ। ଉଲ୍ଲେଖଯୋଗ୍ୟ ଗତ ବର୍ଷ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଦୁଇଜଣ ବିଚାରପତିଙ୍କ ଦ୍ବାରା ଗଠିତ କମିଟି ମିନେରାଲ କନସେସନ୍ ନିୟମ ୧୯୬୦ର ରୁଲ୍ ୩୭ ଓ ଏମଏମଡିଆର ଆଇନର ସେକ୍ସସନ୍ ୬ ର ଉଲ୍ଲଂଘନକୁ ନେଇ ପାଖାପାଖି ୧୫ ଖଣି ଲିଜଧାରୀମାନଙ୍କର ଶୁଣାଣି କରି ରିପୋର୍ଟ ପ୍ରଦାନ କରିଥିଲେ।

ଏତଦ୍ ବ୍ୟତୀତ ଚଳିତମାସରେ ସୁପ୍ରିମକୋର୍ଟ ହାଇଟେକ୍ ଜମି ଠକେଇ ମାମଲାରେ ହାଇଟେକ୍ ଗ୍ରୁପ୍ ଦ୍ବାରା ସୁପ୍ରିମକୋର୍ଟରେ ୬୩,୫୫,୪୯,୨୨୭ ଟଙ୍କା ଜମା କରିବା ପରେ ଓପିଆଇଡି ଆଇନ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ କରାଯିବା ପାଇଁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର