ଯୌତୁକ ମାମଲାରେ ଗିରଫଦାରି : କୌଣସି ନିୟମାବଳୀ ଧାର୍ଯ୍ୟ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାଗୁଡ଼ିକର ସତ୍ୟତା ତଦାରଖ ନ କରି  ଅଭିଯୁକ୍ତ ସ୍ୱାମୀ କିମ୍ବା ତାଙ୍କ ସଂପର୍କୀୟଙ୍କୁ ତୁରନ୍ତ ଗିରଫ କରିବା ଉପରେ ରୋକ ଲଗାଇବା ନେଇ ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ପକ୍ଷରେ କୋର୍ଟ ଯୌତୁକ ନିର୍ଯାତନା ଅଭିଯୋଗର ସତ୍ୟତା ପରଖିବାକୁ ଗଠିତ ହୋଇଥିବା ଜିଲ୍ଲା ପରିବାର ମଙ୍ଗଳ କମିଟିର ଆଇନଗତ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯେହେତୁ ଏଗୁଡ଼ିକ ଆଇପିସି କିମ୍ବା ସିଆର୍‌ପିସିର କୌଣସି ବ୍ୟବସ୍ଥା ଜରିଆରେ ଗଠିତ ହୋଇ ନାହାନ୍ତି ତେଣୁ ଏହି କମିଟିଗୁଡ଼ିକର ଯଥାର୍ଥଥା ରହିବ ନାହିଁ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏ.ଏମ.ଖାନଓ୍ଵିଲକର ଓ ଜଷ୍ଟିସ୍‌ ଡି.ଓ୍ଵାଇ.ଚନ୍ଦ୍ରଚୂଡଙ୍କୁ ନେଇଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ କି, ଯୌତୁକ ନିର୍ଯାତନା ମାମଲାଗୁଡ଼ିକରେ ଗିରଫଦାରି ପୂର୍ବରୁ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ଦୁଇବର୍ଷ ପୂର୍ବେ ସୁପ୍ରିମକୋର୍ଟର ଏକ ଦୁଇ ଜଣିଆ ବେଞ୍ଚ ନିର୍ଦ୍ଦେଶ ଦେଇଥିଲା । ଯୌତୁକ ନିର୍ଯାତନା ନିରୋଧୀ ଆଇନର ଦୂରୁପଯୋଗ ଅଭିଯୋଗ ଆସିବା ପରେ ଜଷ୍ଟିସ ଏ.କେ.ଗୋଏଲଙ୍କୁ ନେଇ ଗଠିତ ଏକ ଦୁଇଜଣିଆ ଖଣ୍ଡପୀଠ ଗିରଫଦାରି ପୂର୍ବରୁ ପୁଲିସ୍‌ କେଉଁ କେଉଁ ନିୟମାବଳୀ ପାଳନ କରିବ ତାହା ଧାର୍ଯ୍ୟ କରିଥିଲେ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଯୌତୁକ ନିର୍ଯାତନା ମାମଲା ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ କୋର୍ଟ ଏହି ରାୟର ପୁନର୍ବିଚାର ସଂକେତ ଦେଇଛନ୍ତି । ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୪୯୮(କ) ଅନୁସାରେ ଏହି ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା । ଆଇପିସିର ୪୯୮(କ) ଅନୁସାରେ ହିଁ ଯୌତୁକ ନିର୍ଯାତନା ସଂପର୍କିତ ମାମଲାଗୁଡିକର ବିଚାର କରାଯାଇଥାଏ ।

ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଅନୁସାରେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଯୌତୁକ ନିର୍ଯାତନା ମାମଲା ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି । ଏହାକୁ ଭିତ୍ତି କରି ପୂର୍ବ ରାୟର ପୁନର୍ବିଚାର କରିବାକୁ ଦୁଇଜଣ ବରିଷ୍ଠ ଅଇନଜୀବି ଭ.ଶେଖର ଓ ଇନ୍ଦୁ ମାଲହୋତ୍ରା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର