କରୋନା ଆକ୍ରାନ୍ତ ଥିବା ଆପୋଲୋ ଏମଡ଼ିଙ୍କ ଟୁଇଟ: କକ୍ଟେଲ ଥେରାପି ମୋ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନ ଆଣିଛି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆପୋଲୋ ଏମଡ଼ି ଡାକ୍ତର ସଙ୍ଗୀତା ରେଡ୍ଡୀଙ୍କ ଟୁଇଟ ଏବେ ଚର୍ଚ୍ଚାରେ | କରୋନା ଟିକା ନେବା ପରେ ମଧ୍ୟ ସେ କରୋନା ଆକ୍ରାନ୍ତ ହୋଇଥିଲେ | କରୋନା ପଜିଟିଭ ବୋଲି ଜାଣି ସେ ଚିନ୍ତିତ ହୋଇପଡିଥିବା ବେଳେ କକ୍ଟେଲ ଥେରାପି ପାଇଁ ସୁସ୍ଥ ହେଉଥିବା କହିଛନ୍ତି | କକ୍ଟେଲ ଥେରାପି ତାଙ୍କ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନ ଆଣିଛି ବୋଲି ସେ ଟୁଇଟ କରି ଜଣାଇଛନ୍ତି |

ଟୁଇଟରେ ସେ ଲେଖିଛନ୍ତି ଯେ, କରୋନାକୁ ଚକମା ଦେବାର ୫୦୦ ଦିନ ପରେ, ମୁଁ ଜୁନ୍ ୧୦ରେ କରୋନା ପଜିଟିଭ୍ ହୋଇଥିଲି | ଏହା ଜାଣି ମୁଁ ଆଶ୍ଚର୍ଯ୍ୟ ହେବା ସହ ହତାଶ ହୋଇପଡ଼ିଥିଲି – ମୁଁ କାହିଁକି? ମୁଁ ସାବଧାନ ଥିଲି ଏବଂ ଟିକା ନେଇଥିଲି | ଉଚ୍ଚ ଜ୍ୱର ସହ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମୁଁ ପ୍ରଥମେ କକଟେଲ ରେଜେନେରନ୍ ଥେରାପି ନେଇଥିଲି ଏବଂ ଏହା ମୋ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନ ଆଣିଛି |

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଟିକା କୋଭିଡକୁ ପ୍ରତିରୋଧ କରେ ନାହିଁ କିନ୍ତୁ ଲକ୍ଷଣକୁ ସାମାନ୍ୟ ରଖିବାରେ ସାହାଯ୍ୟ କରେ, ଏହା ମନେ ରଖିବା ଜରୁରୀ | ଶୀଘ୍ର ପୁନରୁଦ୍ଧାର ପାଇଁ ଠିକ୍ ସମୟରେ ନିରାକରଣ ଏବଂ ଚିକିତ୍ସା ହେଉଛି ପ୍ରମୁଖ | ମୁଁ ଏବେ ଘରେ ଅଛି ଏବଂ ଟେଲି ମେଡିସିନ୍ ମାଧ୍ୟମରେ ଡାକ୍ତରୀ ତତ୍ୱାବଧାନରେ ଆଇସୋଲେସନରେ ରହିଛି | ମୁଁ ଆମର ନର୍ସିଂ, ଡାକ୍ତର ଏବଂ ବୈଜ୍ଞାନିକ ସମ୍ପ୍ରଦାୟକୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି |

ସମ୍ବନ୍ଧିତ ଖବର