ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଓ ଉପ-ରାଜ୍ୟପାଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ତୀବ୍ରରୂପ ଧାରଣ କରିଛି। ଏହାକୁ କେନ୍ଦ୍ର କରି ଆଜି ଆପ୍‌-ବିଜେପି ମୁହାଁମୁହିଁ ହୋଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ନିର୍ଦ୍ଦେଶରେ କାର୍ଯ୍ୟରେ ଯୋଗଦେଉନଥିବା ଅଭିଯୋଗ କରି ଗତ ୩ ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ମନ୍ତ୍ରୀମାନେ ଉପ ରାଜ୍ୟପାଳଙ୍କ ବାସଭବନରେ ଧାରଣା ଦେଇଛନ୍ତି। ମଙ୍ଗଳବାରଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଆଜିଠାରୁ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆମରଣ ଅନଶନ ମଧ୍ୟ ଆରମ୍ଭ କରିଛନ୍ତି। ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ଆଜି ହଜାର ହଜାର ଆପ୍‌ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏକାଠି ହୋଇ ସେଠାରୁ ଏକ ର‍୍ୟାଲିରେ ଯାଇ ଉପ ରାଜ୍ୟପାଳଙ୍କ ବାସଭବନ ଘେରାଉ କରିଛନ୍ତି। ଉପ ରାଜ୍ୟପାଳଙ୍କ ବାସଭବନରୁ ଏକ ଭିଡିଓ ବାର୍ତ୍ତା ଯୋଗେ ଅନଶନରତ ମୁଖ୍ୟମନ୍ତ୍ରୀ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ପାଇଁ ସେ ଏହି ସଂଗ୍ରାମ ଆରମ୍ଭ କରିଛନ୍ତି। ବିଜେପି ଓ କଂଗ୍ରେସ ଆପ୍‌ର ଏହି ବିରୋଧ ପ୍ରଦର୍ଶନ ଓ ଧାରଣାକୁ ନାଟକ ବୋଲି କହିବା ସହ ଗଣତନ୍ତ୍ରର ଅପମାନ ବୋଲି ମଧ୍ୟ ଦର୍ଶାଇଛନ୍ତି। ଦିଲ୍ଲୀର ଜଳ ସଙ୍କଟକୁ ପ୍ରସଙ୍ଗ କରି ଆଜି ଦିଲ୍ଲୀ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବିଜେପି ନେତା ମନୋଜ ତିଓ୍ଵାରୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ କେଜ୍ରିଓ୍ଵାଲଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇ ଆପ୍‌ ସରକାର ବିରୋଧରେ ସ୍ଳୋଗାନ ଦେଇଛନ୍ତି। ଅପରପକ୍ଷେ, ଦିଲ୍ଲୀ ଶାସନ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ ଚାଲିଥିବା ଆପ୍‌ ନେତା ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି।

Advertisment

publive-image

ଦିଲ୍ଲୀରେ ଲାଗି ରହିଥିବା ଏଭଳି ରାଜନୈତିକ ଲଢ଼େଇରେ ସାଧାରଣ ଜନତା ଘୋର ହଟହଟାର ଶିକାର ହେଉଛନ୍ତି। ଆପ୍‌, ବିଜେପିର ର‍୍ୟାଲି ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ କିଛି ସ୍ଥାନରେ ରାଜନୈତିକ ସମର୍ଥକ ଗୋଷ୍ଠୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଅପରପକ୍ଷେ, ଦିଲ୍ଲୀ ସରକାର ପ୍ରଶାସନିକ ଅଧିକାରୀଙ୍କ ଉପରେ ଅଭିଯୋଗ ଆଣିବା ପରେ ଅନେକ ସରକାରୀ କାର୍ଯ୍ୟ ଅଚଳ ହୋଇଯାଇଛି। ବିଭିନ୍ନ ପ୍ରଶାସନିକ ଅଧିକାରୀ କାର୍ଯ୍ୟରେ ଥାଇ ମଧ୍ୟ ସେମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ କାରଣରୁ କାର୍ଯ୍ୟରେ ଯୋଗ ନଦେବା ପାଇଁ ଧମକ ମଧ୍ୟ ଦେଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଆଜି ଆପ୍‌ର ର‍୍ୟାଲିରେ ଯୋଗଦେଇ କହିଛନ୍ତି ଯେ, ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଥିଲେ, ସେ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଏହି ଘଟଣାରେ ହସ୍ତକ୍ଷେପ ପାଇଁ ନିର୍ଦ୍ଦେଶ ଦେଇ ସାରିଥାନ୍ତେ। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷୀତ କେଜ୍ରିଓ୍ଵାଲଙ୍କୁ କଡ଼ା ସମାଲୋଚନା କରିବା ସହ ସେ ନିଜ ଦାୟିତ୍ୱ ଭୁଲି ଯାଇଥିବା କହିଛନ୍ତି। ଯେତେବେଳେ ଦିଲ୍ଲୀରେ ଉତ୍କଟ ଜଳ ସଙ୍କଟ ସମସ୍ୟା ଦେଖାଦେଇଛି, ସେହି ସମୟରେ ମୁଖ୍ୟମନ୍ତ୍ରୀ ତିନି ଦିନ ହେବ ଉପରାଜ୍ୟପାଳଙ୍କ ବାସଭବନରେ ଯାଇ ଧାରଣା ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି। ଦିଲ୍ଲୀ ବିଧାନସଭା ବାଚସ୍ପତି ଆଜି ଆପ୍‌ ଧାରଣାରେ ଯୋଗଦେଇ ଉପ ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି।