ଗୁଜରାଟରେ ଆପ୍‌, ବିଜେପିର ‘ସ୍ବପ୍ନ’ ରାଜନୀତି

ସ୍ବପ୍ନ ବିକାଳୀ ଗୁଜରାଟରେ ଜିତିବେନି: ଶାହ

ଅହମଦାବାଦ: ଗୁଜରାଟ ବିଧ‌ାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଗୁଜରାଟ ପ୍ରଚାରରେ ଆଜି ‘ସ୍ବପ୍ନ’କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ‌ କେଜ୍ରିୱାଲ ମୁହାଁମୁହିଁ ହୋଇଛନ୍ତି। ଶାହ ଆଜି ଭର୍ଚୁଆଲ ଭାବେ ଗୁଜରାଟ‌ରେ ତାଙ୍କ ନିର୍ବାଚନମଣ୍ଡଳୀରେ କିଛି ପ୍ରକଳ୍ପ ଉଦ୍‌ଘାଟନ କରିବା ସମୟରେ କେଜ୍ରିୱାଲଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଶାହ କହିଛନ୍ତି, ଯେଉଁ ଲୋକ ସ୍ବପ୍ନ ବିକୁଛନ୍ତି ସେମାନେ ଗୁଜରାଟରେ କେବେ ବି ଜିତିବେନି। ଗୁଜରାଟ ଲୋକଙ୍କୁ ମୁଁ ଭଲଭାବେ ଜାଣିଛି। ଗୁଜରାଟ ଲୋକ କାମରେ ବିଶ୍ବାସ କରନ୍ତି। ସେଥିପାଇଁ ଲୋକମାନେ ବିଜେପି ପକ୍ଷରେ ଅଛନ୍ତି। ବିଜେପି ଆଗକୁ ବିପୁଳ ବିଜୟ ହାସଲ କରିବ ଏବଂ ଗୁଜରାଟରେ ପୁଣିଥରେ ସରକାର ଗଢ଼ିବ ବୋଲି ଶାହ ଦୃଢ଼ୋକ୍ତି ବାଢ଼ିଛନ୍ତି।

ସ୍ବପ୍ନ ବିକାଳୀ ଗୁଜରାଟରେ ଜିତିବେନି: ଶାହ
ମିଥ୍ୟା ସ୍ବପ୍ନ ବିକ୍ରି କରୁଥିବା ଲୋକଙ୍କୁ ବିଶ୍ବାସ କରନା: କେଜ୍ରିୱାଲ
ବିଜେପି ପଛଦ୍ବାରରେ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଛି

ଅନ୍ୟପକ୍ଷେ ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି, ଲୋକମାନେ ମିଥ୍ୟା ସ୍ବପ୍ନ ବିକ୍ରି କରୁଥିବା ଲୋକଙ୍କୁ ବିଶ୍ବାସ କରିବା ଉଚିତ ନୁହେଁ। ଦିଲ୍ଲୀ, ପଂଜାବରେ ବିଦ୍ୟୁତ ମାଗଣା କରି ସାରିଥିବା ଦଳ ଗୁଜରାଟ‌ରେ ମଧ୍ୟ ବିଦ୍ୟୁତ ମାଗଣା କରିବ। ଲୋକମାନେ ଏହା ବିଶ୍ବାସ କରିବା ଉଚିତ। କେଜ୍ରିୱାଲ କହିଛନ୍ତି, ବିଜେପି ସ୍ବପ୍ନ ଦେଖୁଛି। ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଶାହ ନିଜ ଦଳ ବିରୋଧରେ କହୁଛନ୍ତି। ସେ କହୁଛନ୍ତି , ସ୍ବପ୍ନ ବିକାଳୀଙ୍କୁ ବିଶ୍ବାସ କରନା। ତେବେ କିଏ କହିଥିଲା ତୁମ ବ୍ୟାଙ୍କ ଆକାଉଣ୍ଟ୍‌ରେ ୧୫ ଲକ୍ଷ ଜମା କରିବାପାଇଁ। ସେମାନଙ୍କୁ ବିଶ୍ବାସ କରନା। ନରେନ୍ଦ୍ର ମୋଦୀଙ୍କ ୨୦୧୪ ନିର୍ବାଚନ ପ୍ରତିଶ୍ରୁତିକୁ ଆଖେପ କରି କେଜ୍ରିୱାଲ ଏହି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷେ କେଜ୍ରିୱାଲ ଆଜି ବିଜେପି ବିରୋଧରେ ଅନ୍ୟ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। କେଜ୍ରିୱାଲ କହିଛନ୍ତି, ବିଜେପି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଛଦ୍ବାରରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଛି। ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକର ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ବିଜେପି ନେତାମାନେ କହୁଥିବା ନେଇ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ କେଜ୍ରିୱାଲ ଏହି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଗୁଜରାଟରେ ଶେଷ ହୋଇଯାଇଛି ବୋଲି କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର