ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ଶନିବାର ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି। ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏହି ବୁଝାମଣା ହୋଇଛି। ସେଗୁଡ଼ିକ ହେଲା ଦିଲ୍ଲୀ, ଗୁଜରାଟ,ହରିୟାଣା ଓ ଗୋଆ ଓ ଚଣ୍ଡୀଗଡ଼। ବୁଝାମଣା ଅନୁସାରେ, ଗୁଜରାଟରେ କଂଗ୍ରେସ ୨୪ଟି ଓ ଆପ୍ ୨ଟି ଆସନରେ ନିର୍ବାଚନ ଲଢ଼ିବେ। ହରିୟାଣାରେ କଂଗ୍ରେସ ୯ଟି ଓ ଆପ୍ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ଆପ୍ ୪ଟି ଓ କଂଗ୍ରେସ ୩ଟି ଆସନରେ ଲଢ଼ିବା ନିଶ୍ଚିତ ହୋଇଛି।

Advertisment

ଗୁଜରାଟରେ ୨୬ଟି ଲୋକସଭା ଆସନ ରହିଛି। ସେଥିରୁ କଂଗ୍ରେସ ୨୪ଟିରେ ଲଢ଼ିବ। ଭରୁଚ ଓ ଭାବନଗର ଆସନରେ ଆପ୍ ପ୍ରାର୍ଥୀ ଦେବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ମୁକୁଲ ୱାସନିକ୍ କହିଛନ୍ତି। ହରିୟାଣାରେ ୧୦ଟି ଲୋକସଭା ଆସନ ରହିଛି। କଂଗ୍ରେସ ୯ଟିରେ ନିର୍ବାଚନ ଲଢ଼ିବ। କୁରୁକ୍ଷେତ୍ର ଆସନରେ ଆପ୍ ନିଜର ପ୍ରାର୍ଥୀ ଦେବ। ଦିଲ୍ଲୀରେ ଆପ୍ ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରେ ନିର୍ବାଚନ ଲଢ଼ିବ। ବାକି ଚାନ୍ଦିନୀଚୌକ, ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଆସନରେ କଂଗ୍ରେସ ଲଢ଼ିବ। ୱାସନିକ୍ କହିଛନ୍ତି, ଦୀର୍ଘ ଆଲୋଚନା ପରେ କଂଗ୍ରେସ ଚଣ୍ଡୀଗଡ଼ରେ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଥିଲା। ଗୋଆରେ କଂଗ୍ରେସ ୨ଟି ଯାକ ଆସନରେ ଲଢ଼ିବ। ତେବେ ୨୦୨୨ରେ ଆପ୍ କଂଗ୍ରେସକୁ ହଟାଇ ସରକାର ଗଠନ କରିଥିବା ପଞ୍ଜାବକୁ ନେଇ ଉଭୟ ଦଳ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଚଳିତ ମାସ ପ୍ରାରମ୍ଭରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ ତାଙ୍କ ଦଳ ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଲଢ଼ିବ। ଦିଲ୍ଲୀ ବିଜେପି ନେତା ରାମବୀର ସିଂହ ବିଧୁରୀ କହିଛନ୍ତି, କଂଗ୍ରେସ ଓ ଆପ୍ ମଧ୍ୟରେ ଗମ୍ଭୀର ବିଶ୍ୱାସ ସଙ୍କଟ ରହିଛି। ତେଣୁ ସେମାନଙ୍କ ମେଣ୍ଟ ସୁବିଧାବାଦୀ ରାଜନୀତି ବ୍ୟତୀତ ଆଉ କିଛି ନୁହେଁ।