ବଢ଼ିଲା ଆପ୍‌ ସଂକଟ

ଉପନିର୍ବାଚନ ପାଇଁ ବିରୋଧୀଙ୍କ ସଜବାଜ

ନୂଆଦିଲ୍ଲୀ: ଲାଭଜନକ ପଦ ପଦବି ହାତେଇଥିବା ମାମଲାରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏକେ ଜ୍ୟୋତି ଦିଲ୍ଲୀ ଶାସନ କ୍ଷମତାରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ୨୦ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ପଠାଇଥିବା ସୁପାରିସ୍‌କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଅବଶ୍ୟ ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆପ୍‌ ସରକାର ପାଇଁ କୌଣସି ବିପଦ ନଥିଲେ ହେଁ ଦଳର ସଂକଟ ବଢ଼ାଇଦେଇଛି। ଅପରପକ୍ଷେ, ଗତ ଶୁକ୍ରବାର ସିଇସିଙ୍କ ସୁପାରିସ ଜାଣିବା ପରେ ଆପ୍‌ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ଗତକାଲି ନିଷ୍ପତ୍ତି ନେଇଥିଲେ। ମାତ୍ର ସେମାନେ ଆଜି ଭେଟିବା ପୂର୍ବରୁ ରାଷ୍ଟ୍ରପତିଙ୍କ ଏଭଳି ଅନୁମୋଦନ ସେମାନଙ୍କୁ ମର୍ମାହତ କରିଛି ବୋଲି ଦିଲ୍ଲୀର ମନ୍ତ୍ରୀ ତଥା ଆପ୍‌ ନେତା ଗୋପାଳ ରାୟ କହିଛନ୍ତି। ତେବେ ଆବଶ୍ୟକ ପଡ଼ିଲେ ଏ ବାବଦରେ ସେମାନେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସୂଚନାନୁଯାୟୀ, ଆପ୍‌ର ଏହି ବିଧାୟକମାନେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ସଂସଦୀୟ ସଚିବ ପଦବିରେ ନିଯୁକ୍ତ ଥିଲେ। ତେବେ ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ଉପଭୋଗ କରିଛନ୍ତି ବୋଲି ଦିଲ୍ଲୀର ଆଇନଜୀବୀ ପ୍ରଶାନ୍ତ ପଟେଲ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ସେମାନେ ବିଧାୟକ ଏବଂ ସଂସଦୀୟ ସଚିବ ଭାବେ ଉଭୟ ପଦବି ପାଇଁ ଭତ୍ତା ସମେତ ଅନ୍ୟାନ୍ୟ ଫାଇଦା ହାତେଇଥିବାରୁ ସେମାନଙ୍କ ବିଧାୟକ ପଦବି ରଦ୍ଦ କରିବାକୁ ଆବେଦନକାରୀ ଦାବି କରିଥିଲେ। ସେହିପରି କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଅନୁରୂପ କାରଣ ଦର୍ଶାଇ ଆପ୍‌ର ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସିଇସିଙ୍କୁ ଦାବି ଜଣାଇଥିଲା। ଅପରପକ୍ଷେ, ସଂପୃକ୍ତ ବିଧାୟକମାନେ ରହିଥିବା ସଂସଦୀୟ ସଚିବ ପଦବିଗୁଡ଼ିକୁ ଲାଭଜନକ ପଦବି ତାଲିକାରୁ ବାଦ୍‌ କରିବା ପାଇଁ ଆପ୍‌ ସରକାର ୨୦୧୫ ମାର୍ଚ୍ଚରେ ଏକ ସଂଶୋଧିତ ବିଧେୟକ ଆଣି ତାହାର ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ। ମାତ୍ର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଥିରେ ସମ୍ମତ ହୋଇନଥିଲେ। ସେହିପରି ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ବିନା ଆପ୍‌ ସରକାର ସୃଷ୍ଟି କରିଥିବା ସେହି ସବୁ ସ୍ୱତନ୍ତ୍ର ପଦବିଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟ ୨୦୧୬ ସେପ୍ଟେମ୍ବରରେ ବେଆଇନ ଘୋଷଣା କରିବା ସହ ରଦ୍ଦ କରିଦେଇଥିଲେ। ତେବେ ୨୦୧୫ ମାର୍ଚ୍ଚରୁ ୨୦୧୬ ସେପ୍ଟେମ୍ବର ୮ ମଧ୍ୟରେ ସଂପୃକ୍ତ ବିଧାୟକମାନେ ଲାଭଜନକ ପଦବି ହାତେଇଥିବାରୁ ସେମାନଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସିଇସି ଜ୍ୟୋତି ଶୁକ୍ରବାର ଅପରାହ୍ଣରେ ରାଷ୍ଟ୍ରପତଙ୍କୁ ସୁପାରିସ୍‌ କରିଥିଲେ।
ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଦର୍ଶାଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ମତାମତକୁ ବିଚାର କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ କ୍ଷମତା ବଳରେ ସଂପୃକ୍ତ ୨୦ ଜଣ ଆପ୍‌ ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାର ସଦସ୍ୟ ଭାବେ ଅଯୋଗ୍ୟ ଘୋଷଣା କରିଛନ୍ତି।

ଏହା ପରେ ସଂପୃକ୍ତ ବିଧାୟକମାନେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ତେବେ ବିଧାୟକମାନଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ନଦେଇ ରାଷ୍ଟ୍ରପତି ଏପରି ତରବରିଆ ଏବଂ ଏକତରଫା ଭାବେ ସିଇସିଙ୍କ ସୁପାରିସ୍‌କୁ ଅନୁମୋଦନ କରିବାଟା ଅସାମ୍ବିଧାନିକ ଏବଂ ବେଆଇନ ବୋଲି ବୈଠକ ପରେ ସିସୋଦିଆ କହିଛନ୍ତି। ଏହା ବିରୋଧରେ ସେମାନେ ହାଇକୋର୍ଟ, ସୁପ୍ରିମ୍‌କୋର୍ଟ ଯିବେ, ଏହା ସହିତ ସବୁଠୁ ବଡ଼ ଅଦାଲତ ଜନମତକୁ ସାମନା କରିବାକୁ ତାଙ୍କ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଆସନ୍ତାକାଲି ଅବସର ନେବାକୁ ଥିବା ଜ୍ୟୋତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତାର ଋଣ ଶୁଝାଇବା ପାଇଁ ଏପରି କରିଛନ୍ତି ବୋଲି ଆପ୍‌ର ଦିଲ୍ଲୀ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ କଂଗ୍ରେସ ଦଳ ଉପ ନିର୍ବାଚନ ପାଇଁ ତୟାର ଥିବା କହିଛି। ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକେନ କହିଛନ୍ତି ଡିସେମ୍ବର ୨୨ ପୂର୍ବରୁ ଏ ବାବଦ ନିଷ୍ପତ୍ତି ନିଆଯିବା ଉଚିତ ଥିଲା। ଏହା ହୋଇଥିଲେ ଅଯୋଗ୍ୟ ଘୋଷିତ ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେଇପାରିନଥାନ୍ତେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏବେ ଆପ୍‌୍‌ର ସଦସ୍ୟ ସଂଖ୍ୟା ୪୨କୁ ଖସି ଆସିଛି।

ସମ୍ବନ୍ଧିତ ଖବର