ଆପ୍‌ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସରକାରକୁ ଆଜି ବଡ଼ ଧରଣର ଝଟ୍‌କା ଲାଗିଛି। ଆପ୍‌ର ୨୦ ଜଣ ବିଧାୟକ ଲାଭଜନକ ପଦ ପଦବିରେ ଥିବା ମାମଲାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ସେମାନଙ୍କ ସଦସ୍ୟତା ରଦ୍ଦ ପାଇଁ ଆଜି ରାଷ୍ଟ୍ରପତିଙ୍କୁ ସୁପାରିସ୍‌ କରିଛନ୍ତି। ଏହି ବିଧାୟକମାନେ ବିଭିନ୍ନ ସଂସଦୀୟ ସଚିବ ପରି ଲାଭଜନକ ପଦବିରେ ରହିଥିବାରୁ ସେମାନଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସିଇସି ଏ କେ ଜୋତି ଶୁକ୍ରବାର ଅପରାହ୍ଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେଇଥିବା ଚିଠିରେ ଅନୁରୋଧ କରିଥିବା ଜଣାଯାଇଛି। ତେବେ ସିଇସି ତାଙ୍କ ଚିଠିରେ ପ୍ରକୃତରେ କ’ଣ ସୁପାରିସ କରିଛନ୍ତି, ସେ ସମ୍ପର୍କରେ କିଛି ଟିପ୍ପଣୀ କରିବାକୁ ସେ ମନାକରିଦେଇଛନ୍ତି।
ସୂଚନାଥାଉ କି, ଆପ୍‌ର ଏହି ବିଧାୟକମାନେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ସଂସଦୀୟ ସଚିବ ପଦବିରେ ନିଯୁକ୍ତ ଥିଲେ। ତେବେ ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ଉପଭୋଗ କରିଛନ୍ତି ବୋଲି ଦିଲ୍ଲୀର ଆଇନଜୀବୀ ପ୍ରଶାନ୍ତ ପଟେଲ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ସେମାନେ ବିଧାୟକ ଏବଂ ସଂସଦୀୟ ସଚିବ ଭାବେ ଉଭୟ ପଦବି ପାଇଁ ଭତ୍ତା ସମେତ ଅନ୍ୟାନ୍ୟ ଫାଇଦା ହାତେଇଥିବାରୁ ସେମାନଙ୍କ ବିଧାୟକ ପଦବି ରଦ୍ଦ କରିବାକୁ ଆବେଦନକାରୀ ଦାବି କରିଥିଲେ। ସେହିପରି କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଅନୁରୂପ କାରଣ ଦର୍ଶାଇ ଆପ୍‌ର ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସିଇସିଙ୍କୁ ଦାବି ଜଣାଇଥିଲା। ପରେ ସଂପୃକ୍ତ ବିଧାୟକମାନଙ୍କ ଠାରୁ ସିଇସି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ତେବେ ସେମାନଙ୍କ ବିରୋଧରେ ହୋଇଥିବା ଲାଭଜନକ ପଦବି ହାତେଇବା ମାମଲା ହଟେଇନେବାକୁ ସେମାନେ ସିଇସିଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏପରି ସଙ୍ଗିନ ମାମଲା ସେହିପରି ଚାଲୁରହିବ ବୋଲି ସିଇସି ସ୍ପଷ୍ଟ କରିଥିଲେ। ଅପରପକ୍ଷେ, ସଂପୃକ୍ତ ବିଧାୟକମାନେ ରହିଥିବା ସଂସଦୀୟ ସଚିବ ପଦବିଗୁଡ଼ିକୁ ଲାଭଜନକ ପଦବି ତାଲିକାରୁ ବାଦ୍‌ କରିବା ପାଇଁ ଆପ୍‌ ସରକାର ୨୦୧୫ ମାର୍ଚ୍ଚରେ ଏକ ସଂଶୋଧିତ ବିଧେୟକ ଆଣି ତାହାର ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ। ମାତ୍ର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଥିରେ ସମ୍ମତ ହୋଇନଥିଲେ। ଅପରପକ୍ଷେ, ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ବିନା ଆପ୍‌ ସରକାର ସୃଷ୍ଟି କରିଥିବା ସେହି ସବୁ ସ୍ୱତନ୍ତ୍ର ପଦବିଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟ ୨୦୧୬ ସେପ୍ଟେମ୍ବରରେ ବେଆଇନ ଘୋଷଣା କରିବା ସହ ରଦ୍ଦ କରିଦେଇଥିଲେ। ତେବେ ଯେତିକି ସମୟ ହେଉ ପଛକେ, ସଂପୃକ୍ତ ବିଧାୟକମାନେ ଲାଭଜନକ ପଦବି ହାତେଇଥିବାରୁ ପରିଣାମ ସ୍ୱରୂପ ସେମାନଙ୍କୁ ନିଜ ବିଧାୟକ ପଦ ହରାଇବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

୨୦ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିସ୍‌
ଲାଭଜନକ ପଦ ହାତେଇଥିବାରୁ କାର୍ଯ୍ୟାନୁଷ୍ଠାନ

ହାଇକୋର୍ଟ ବି ନିରାଶ କଲେ
ନୂଆଦିଲ୍ଲୀ: ଲାଭଜନକ ପଦବି ହାସଲ ମାମଲାରେ ନିର୍ବାଚନ ଆୟୋଗଙ୍କ ପରେ ଆଜି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆପ୍‌ ବିଧାୟକମାନଙ୍କୁ ନିରାଶ କରିଛନ୍ତି। ଅଭିଯୁକ୍ତ ବିଧାୟକମାନଙ୍କୁ ମାନ୍ୟବର ଅଦାଲତ ଅନ୍ତରୀଣ ସୁରକ୍ଷା ଦେବାକୁ ରୋକଠୋକ ମନା କରିଦେଇଛନ୍ତି। ସେପଟେ ସୋମବାର ଏନେଇ ନିର୍ବାଚନ କମିଶନ କୋର୍ଟରେ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, ସଂପୃକ୍ତ ୨୦ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଠାଇଥିବା ସୁପାରିସ ଉପରେ ରୋକ ଲଗାଇବା ପାଇଁ ଆପ୍‌ ପକ୍ଷରୁ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନିଆଯାଇଥିଲା। ମାତ୍ର ସେପରି ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ସେହିପରି ସିଇସି ପ୍ରକୃତରେ ରାଷ୍ଟ୍ରପତିଙ୍କୁ କ’ଣ ସୁପାରିସ କରିଛନ୍ତି, ତାହାର ସବିଶେଷ ତଥ୍ୟ କୋର୍ଟକୁ ଜଣାଇବାକୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରେଖା ପାଲ୍ଲୀ ନିର୍ବାଚନ କମିସନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର