ନୂଆଦିଲ୍ଲୀ: ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ମନି ଲଣ୍ଡରିଂ ମାମଲାରେ ଜେଲ୍ରେ ଥିବାବେଳେ ଜେଲ୍ରେ ତାଙ୍କୁ କିଭଳି ଭିଆଇପି ସୁବିଧା ମିଳିଛି ସେନେଇ ବିଜେପି ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରୁଛି। ବିଜେପି ଆଜି ଜାରି କରିଥିବା ନୂଆ ଭିଡିଓରେ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍ ଅଧୀକ୍ଷକଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି। ସତ୍ୟେନ୍ଦ୍ର ଜୈନ ତାଙ୍କ ପ୍ରକୋଷ୍ଠରେ କିଛି ଲୋକଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଜେଲ୍ ଅଧୀକ୍ଷକ ତାଙ୍କ ପ୍ରକୋଷ୍ଠକୁ ଆସିବା ଏବଂ ତାଙ୍କ ସହ ବସି କଥା ହେବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ଫୁଟେଜ୍ଟି ସେପ୍ଟେମ୍ବର ମାସ ୧୨ ତାରିଖର। ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଏହି ଭିଡିଓ ରେକର୍ଡିଂ ହୋଇଛି। ଇତିମଧ୍ୟରେ ଜେଲ୍ ଅଧୀକ୍ଷକ ଅଜିତ କୁମାର ସତ୍ୟେନ୍ଦ୍ର ଜୈନଙ୍କୁ ଦେଇଥିବା ଭିଆଇପି ସୁବିଧା ପାଇଁ ନିଲମ୍ବିତ ହୋଇ ସାରିଛନ୍ତି।
ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ଜୟ ହିନ୍ଦ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ତିହାର ଜେଲ୍ରୁ ଆଉ ଏକ ଭିଡିଓ ଗଣମାଧ୍ୟମ ଦ୍ବାରା ଜାରି ହୋଇଛି। ଚଳିତ ଥର ସତ୍ୟେନ୍ଦ୍ରଙ୍କ ଦରବାରରେ ଜେଲ୍ ଅଧୀକ୍ଷକ ଅଛନ୍ତି। ୧୦ ମିନିଟ୍ର ଲମ୍ବା ଭିଡିଓରେ ଜୈନ ତାଙ୍କ ପ୍ରକୋଷ୍ଠରେ ୩ ଜଣଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜେଲ୍ ଅଧୀକ୍ଷକ ତାଙ୍କ ସହ କଥା ହେବାପାଇଁ ଆସିବା ସମୟରେ ଅନ୍ୟମାନେ ଚାଲି ଯାଇଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଜେଲ୍ରେ ମସାଜ ହେଉଥିବା ଏବଂ ରେସ୍ତୋରାଁ ଖାଦ୍ୟ ଖାଉଥିବା ନେଇ ଭିଡିଓ ଜାରି ହୋଇଥିଲା। ଶିଶୁ ଦୁଷ୍କର୍ମ ମାମଲାରେ ଜେଲ୍ରେ ଥିବା ଜଣେ ଅଭିଯୁକ୍ତ ତାଙ୍କୁ ମସାଜ୍ କରୁଥିବା ଭିଡିଓ ମଧ୍ୟ ଚର୍ଚ୍ଚାରେ ରହିଥିଲା।