ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ ହଟାଯାଇଛି। ଆପ୍ ନେତ୍ରୀ ଆତିଶୀଙ୍କ ନେତୃତ୍ବରେ ଦଳର ବିଧାୟକମାନେ ସୋମବାର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହଙ୍ଗାମା କରିଛନ୍ତି। ଶାସକ ବିଜେପି ଦଳିତ ଓ ଶିଖ୍ ବିରୋଧୀ ବୋଲି ଆତିଶୀ ଅଭିଯୋଗ କରିଛନ୍ତି। ବିଜେପି ଆଜି ନିଜର ଦଳିତ ଓ ଶିଖ୍ ବିରୋଧୀ ଚେହେରା ଦେଖାଇଛି। କ୍ଷମତାକୁ ଆସିବା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ହଟାଇ ଦେଇଥିଲେ। ଆମ୍ବେଦକର ଓ ଭଗତ ସିଂହଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାନ ବୋଲି ବିଜେପି ଭାବୁଛି କି ବୋଲି ଆତିଶୀ ପ୍ରଶ୍ନ କରିଛନ୍ତି।
ଆତିଶୀ ଏକ୍ସରେ ୨ଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି- ଗୋଟିଏରେ ଆମ୍ବେଦକର ଓ ଭଗତ ସିଂହ ଥିବା ବେଳେ ଅନ୍ୟଟିରେ ମହାତ୍ମା ଗାନ୍ଧୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି। ବିଜେପି ଲକ୍ଷ ଲକ୍ଷ ବାବାସାହେବଙ୍କ ଅନୁଗାମୀଙ୍କ ଭାବନାକୁ ଆଘାତ ଦେଉଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଅଭିଯୋଗ କରିଛନ୍ତି। ଅରବିନ୍ଦ କେଜ୍ରିଵାଲ ଓ ଆତିଶୀଙ୍କୁ କଡ଼ା ଶବ୍ଦରେ ଜବାବ ଦେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ବାବା ସାହେବ ଆମ୍ବେଦକର ଓ ସହିଦ ଭଗତ ସିଂହଙ୍କ ନାମ ନେଇ ଆପ୍ ନିଜର ଦୁର୍ନୀତିକୁ ଲୁଚାଇପାରିବ ନାହିଁ। ସରକାର ମୁଖ୍ୟଙ୍କ ଫଟୋ ଲଗାଯିବା ଉଚିତ ନୁହେଁ କି? ଦେଶର ରାଷ୍ଟ୍ରପତିଙ୍କ ଫଟୋ ଲଗାଯିବା ଉଚିତ ନୁହେଁ କି? ଜାତିର ପିତା ଗାନ୍ଧିଜୀଙ୍କ ଫଟୋ ଲଗାଯିବା ଉଚିତ ନୁହେଁ କି?
ଭଗତ ସିଂହ ଓ ବାବାସାହେବ ହେଉଛନ୍ତି ଦେଶର ସମ୍ମାନଜନକ ବ୍ୟକ୍ତିତ୍ୱ ଏବଂ ଆମର ମାର୍ଗଦର୍ଶକ। ତେଣୁ ଏହି କୋଠରିରେ ସରକାରଙ୍କ ମୁଖ୍ୟ ଭାବରେ ଆମେ ସେମାନଙ୍କୁ ଜାଗା ଦେଇଛୁ। ଆପ୍ର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପରବେଶ ସାହିବ ସିଂହ ବର୍ମା ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ଗୃହର ପବିତ୍ରତାକୁ କ୍ଷତି ପହଞ୍ଚାଉଛି। ବିବାଦ ଉଗ୍ର ରୂପ ଧାରଣ କରିବା ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଫଟୋ ପୋଷ୍ଟ କରିଥିଲା ଯେଉଁଥିରେ ମହାତ୍ମା ଗାନ୍ଧୀ, ଆମ୍ବେଦକର, ଭଗତ ସିଂହ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଛି। ଆମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଠିଆ ହୋଇଛୁ ଏବଂ ଆପଣ ଆମ୍ବେଦକରଙ୍କ ଫଟୋ ଦେଖିପାରିବେ। ଆସନ୍ତାକାଲି ସିଏଜି ରିପୋର୍ଟ ଉପସ୍ଥାପିତ ହେବ ବୋଲି ସେମାନେ ଭୟଭୀତ ଅଛନ୍ତି ବୋଲି ମନ୍ତ୍ରୀ ରବୀନ୍ଦ୍ର ଇନ୍ଦ୍ରାଜ ସିଂହ କହିଛନ୍ତି।