ନୂଆଦିଲ୍ଲୀ : ଦିଲ୍ଲୀ ଓ ପଞ୍ଜାବରେ ଶାସନ ଗାଦି ଦଖଲ ପରେ ଓଡ଼ିଶା ଉପରେ ଆଖି ପକାଇଛି ଆମ ଆଦମୀ ପାର୍ଟି (ଆପ୍‌)। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜେଡି ଓ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏହି ଦୌଡ଼ରେ ସାମିଲ ହୋଇଛି ଆପ୍‌। ଏହାକୁ ନେଇ ଦିଲ୍ଲୀସ୍ଥିତ ପାର୍ଟିର ମୁଖ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଆପ୍‌ର ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ବ୍ୟାପକ ବିଚାରବିମର୍ଶ ହୋଇଛି। ବୈଠକରେ ଆପ୍‌ର ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ସନ୍ଦୀପ ପାଠକ, ଓଡ଼ିଶା ପ୍ରଭ‌ାରୀ ବୀରେନ୍ଦ୍ର କାଧାନ, ଆପ୍‌ର ଓଡ଼ିଶା ସଂଯୋଜକ ନିଶିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ନିର୍ବାଚନ ପାଇଁ ଦଳର ସଂଗଠନ ସଦସ୍ୟମାନଙ୍କୁ ରଣନୀତି ଅନୁସାରେ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସଂଗଠନକୁ କିଭଳି ତୃଣମୂଳ ସ୍ତରରୁ ସୁଦୃଢ କରାଯାଇ ପାରିବ, କେଉଁ ସବୁ ପ୍ରସଙ୍ଗଗୁଡ଼ିକ ଉପରେ ଅଧିକ ଫୋକସ କରିବାକୁ ହେବ ସେ ନେଇ ବୈଠକରେ ମାନସ ମନ୍ଥନ ହୋଇଥିଲା।

Advertisment

ଏଇ ଅବସରରେ ଡ. ପ‌ାଠକ କହିଥିଲେ ଯେ ନିର୍ବାଚନରେ ଜିତିବା କିମ୍ବା ହାରିବା ଗୁରୁତ୍ବପୂର୍ଣ୍ଣ ନୁହେଁ। ଗୁରୁତ୍ବପୂର୍ଣ୍ଣ ହେଲା, ଓଡ଼ିଶାରେ ସଂଗଠନକୁ ସଶକ୍ତ କରିବା। ଗୋଟିଏ ମଜଭୁତ ସଂଗଠନ ହିଁ ତୃଣମୂଳ ସ୍ତରରୁ ସମସ୍ୟା ଏବଂ ଆବଶ୍ୟକତାକୁ ବୁଝାଇବାରେ ସହାୟକ ହୋଇଥାଏ। ବୈଠକରେ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ଏଥିରେ ଓଡ଼ିଶା ସହ କେରଳ ନିର୍ବାଚନ ପାଇଁ ପାର୍ଟିର ପ୍ରସ୍ତୁତି ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ସୂଚନା ମୁତାବକ ଦିଲ୍ଲୀ ଓ ପଞ୍ଜାବରେ ଯେଉଁସବୁ ରଣନୀତି ପ୍ରୟୋଗ କରି ପାର୍ଟି ଜିତିଛି, ତାହାକୁ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ଓ ବିଧାନସଭା ନିର୍ବାଚନରେ କିଭଳି ବିଭିନ୍ନ ରାଜ୍ୟରେ ସଫଳ ଭାବେ ପ୍ରୟୋଗ କରାଯାଇପାରିବ ତାହା ଉପରେ ଆପ୍‌ ଜୋର୍‌ ଦେଉଛି। ଏଥି ପାଇଁ ପାର୍ଟିର କାର୍ଯ୍ୟକର୍ତ୍ତା ନିୟମିତ ବ୍ୟବଧାନରେ ବିଭିନ୍ନ ରାଜ୍ୟର ପ୍ରତିନିଧିମାନଙ୍କ ସହ ବୈଠକ କରୁଛି।