ବାଣ ନିଷିଦ୍ଧ ମାମଲା: ଏନ୍ଜିଟି ଆଦେଶ ବିରୋଧରେ ଆବେଦନ ସୁପ୍ରିମ କୋର୍ଟରେ ଖାରଜ
ନୂଆଦିଲ୍ଲୀ : ବାଣ ନିଷିଦ୍ଧ ମାମଲାରେ ଏନ୍ଜିଟି (ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ) ଦେଇଥିବା ଆଦେଶ ଉପରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ। କୋଭିଡ୍-୧୯ ସମୟରେ ଯେଉଁ ଅଞ୍ଚଳର ବାୟୁମଣ୍ଡଳ ଗୁଣବତ୍ତା ଖରାପ ହୋଇଛି ସେଠାରେ ବାଣ ନିଷିଦ୍ଧ ରହିବ। ଅଦାଲତ କହିଛନ୍ତି, ଏନ୍ଜିଟି ଆଦେଶରେ ସ୍ପଷ୍ଟ କୁହାଯାଇଛି, ଯେଉଁ ଅଞ୍ଚଳରେ ବାୟୁମଣ୍ଡଳ ଗୁଣବତ୍ତା ଖରାପ ସେଠାରେ ବାଣ ତିଆରି ଓ ବିକ୍ରି ଉପରେ କଟକଣା ଜାରି ରହିବ। ଯେଉଁ ଅଞ୍ଚଳର ବାୟୁମଣ୍ଡଳର ଗୁଣବତ୍ତା ଭଲ ଅଛି ସେଠାରେ ବାଣ ବିକ୍ରି ବା ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇପାରେ। ଏନ୍ଜିଟି ଆଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି।
ବିଚାରପତି ଏ ଏମ୍ ଖାନୱିଲ୍କର ଏବଂ ସଂଜୀବ ଖାନ୍ନାଙ୍କ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବାଣ ସ୍ବାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପକାଇଥାଏ ତାହା ସମସ୍ତେ ଜାଣନ୍ତି। ବାଣ ଧୂଆଁ ଫୁସ୍ଫୁସ୍କୁ ନଷ୍ଟ କରି ଦେଇଥାଏ। ଏଥିପାଇଁ କୌଣସି ବିଶେଷଜ୍ଞଙ୍କ ପରାମର୍ଶର ଆବଶ୍ୟକତା ନାହିଁ। ୨୦୧୭ ମସିହାରୁ ଏ ନେଇ ସତର୍କତା ଜାରି କରାଇଥିଲେ ହେଁ ଏହାକୁ ବିଭିନ୍ନ ସ୍ଥାନରେ ଲାଗୁ କରାଯାଇ ନାହିଁ। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ ଡିସେମ୍ବର ମାସରେ ଏନ୍ଜିଟି ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଏ କେ ଗୋୟଲଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।