ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ-ବିରୋଧୀ ଆଇନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମ୍କୋର୍ଟ ଅନେକ ରାଜ୍ୟକୁ ଜବାବ ମାଗିଛନ୍ତି। ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଆନ୍ତଃଧାର୍ମିକ ଦମ୍ପତିଙ୍କୁ ହଇରାଣ କରିବା ଏବଂ ଧାର୍ମିକ ପାଳନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ଆଇନର ଅପବ୍ୟବହାର କରାଯାଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ଅଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଛଅ ସପ୍ତାହ ପରେ ହେବ।
ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟମାନଙ୍କଠାରୁ ପ୍ରତିକ୍ରିୟା ପାଇବା ପରେ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଦିଆଯିବ କି ନାହିଁ ତାହା ବିଚାର କରାଯିବ। ଏହି ସମୟସୀମା ଉଭୟ ଆବେଦନକାରୀ ଓ ଉତ୍ତରଦାତା ରାଜ୍ୟମାନଙ୍କୁ ବିସ୍ତୃତ ଯୁକ୍ତି ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିବ। ଜମିୟତ ଉଲେମା-ଏ-ହିନ୍ଦ୍ ଏବଂ ସିଟିଜେନ୍ସ ଫର୍ ଜଷ୍ଟିସ୍ ଆଣ୍ଡ ପିସ୍ ସମେତ ବିଭିନ୍ନ ସଂଗଠନ ଆଣିଥିବା ପିଟିସନରେ ଅଭିଯୋଗ କରାଯାଇଛି ଯେ, ବିଭିନ୍ନ ଧାର୍ମିକ ପୃଷ୍ଠଭୂମିର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ୍ କରିବା ପାଇଁ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ଅସ୍ତ୍ର କରାଯାଉଛି। ଏହି ଆଇନ ବିଭିନ୍ନ ଧର୍ମର ଦମ୍ପତିଙ୍କୁ ହଇରାଣ କରିବାର ଏକ ମାଧ୍ୟମ ପାଲଟିଛି। ସେହି ଆଳରେ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଧର୍ମାନ୍ତରୀକରଣ ଅଭିଯୋଗ କରାଯାଇପାରେ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। ସୁପ୍ରିମ୍କୋର୍ଟ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଆଡ୍ଭୋକେଟ୍ ସୃଷ୍ଟି ଅଗ୍ନିହୋତ୍ରୀଙ୍କୁ ଓ ରାଜ୍ୟମାନଙ୍କ ପକ୍ଷରୁ ଆଡ୍ଭୋକେଟ୍ ରୁଚିରା ଗୋୟଲଙ୍କୁ ନୋଡାଲ ଓକିଲ ଭାବେ ନିଯୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)