ଆନ୍ଦୋଳନକାରୀ ଚାଷୀଙ୍କ ପ୍ରଥମ ଆଲୋଚନା ବିଫଳ, ପରବର୍ତ୍ତୀ ବୈଠକ ୩ରେ

ନୂଆଦିଲ୍ଲୀ: ଦିଲ୍ଲୀରେ ଶୀତ ଓ କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଆନ୍ଦୋଳନକାରୀ ଚାଷୀଙ୍କ ସହ ମଙ୍ଗଳବାର ଆଲୋଚନା କରିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ତେବେ ଏହି ଆଲୋଚନାରେ ସେପରି କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଜଣେ କୃଷକ ନେତାଙ୍କ ବୟାନରୁ ଜଣାପଡ଼ିଛି ଯେ ସେମାନେ ନିଜ ଦାବିରେ ପୂର୍ବପରି ଅଟଳ ରହିଛନ୍ତି।

ପୂର୍ବରୁ ଡିସେମ୍ବର ୩ରେ ଏହି ବୈଠକ ହେବାକୁ ସ୍ଥିର ହୋଇଥିବା ବେଳେ ଆଜି ଚାଷୀମାନଙ୍କୁ ଆଗୁଆ ଆଲୋଚନା ପାଇଁ ଡକା ଯାଇଥିଲା। ମାତ୍ର ଜାଣିବାକୁ ମିଳିଛି ଯେ ବୈଠକରେ କୌଣସି ଫଳାଫଳ ନ ବାହାରି ପାରିବାରୁ ପୁଣି ଥରେ ପୂର୍ବ ନିର୍ଦ୍ଧାରିତ ତାରିଖ(ଡିସେମ୍ବର ୩)ରେ ଏହି ଆଲୋଚନା ହେବ। ତେବେ, କେନ୍ଦ୍ର ପକ୍ଷରୁ କୃଷକମାନଙ୍କୁ ସେମାନଙ୍କ ଆନ୍ଦୋଳନ ଶେଷ କରିବାକୁ କୁହାଯାଇଛି।

ଦିଲ୍ଲୀ-ହରିୟାଣା ସୀମାରେ ହୋଇଥିବା ବିକ୍ଷୋଭ ଓ ଅସ୍ଥିରତା ଏବେ ଷଷ୍ଠ ଦିନରେ ପ୍ରବେଶ କରିଛି। ଯେଉଁଥିରେ ଅଧିକ ଚାଷୀ ସେମାନଙ୍କ ଟ୍ରାକ୍ଟର ଏବଂ ଟ୍ରଲି ସହିତ ଆନ୍ଦୋଳନରେ ଯୋଗ ଦେଇଛନ୍ତି।

୩ଟି ନୂତନ ଚାଷ ଆଇନ ରଦ୍ଦ କରିବା ପାଇଁ କୃଷକମାନଙ୍କ ଦାବି ଉପରେ ଆଲୋଚନା କରିବାକୁ ସରକାର ୩୨ଟି କୃଷକ ଦଳକୁ ଆମନ୍ତ୍ରଣ କରିଥିବା ବେଳେ ଆନ୍ଦୋଳନକାରୀ କୃଷକମାନେ କହିଛନ୍ତି କି ସରକାରଙ୍କୁ ୩୨ ନୁହେଁ ବରଂ ଦେଶର ସମସ୍ତ ୫୦୦ କୃଷକ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ଦେବାର ଆବଶ୍ୟକତା ଥିଲା।

ଏ ନେଇ ଦିଲ୍ଲୀର ପଞ୍ଜାବ କିସାନ ସଂଘର୍ଷ କମିଟିର ସୁଖବିନ୍ଦର ଏସ୍ ସାବରନ କହିଛନ୍ତି, ‘ଯେପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀକୁ ଡକା ନ ଯାଇଛି ସେପର୍ଯ୍ୟନ୍ତ ଆମେ ଆଲୋଚନା ପାଇଁ ଯିବୁନାହିଁ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚାଷୀ ଆନ୍ଦୋଳନ ପାଇଁ ଦୁଇପଟରୁ ଦିଲ୍ଲୀକୁ ଯୋଡ଼ୁଥିବା ସିଙ୍ଘୁ ସୀମା ଓ ଟିକ୍ରି ସୀମାକୁ ବନ୍ଦ କରାଯାଇଛି। ଏହା ଛଡ଼ା ଦିଲ୍ଲୀର ଲମ୍ଫୁର, ଔଚଣ୍ଡି ଏବଂ ଅନ୍ୟାନ୍ୟ ଛୋଟ ସୀମାକୁ ମଧ୍ୟ ବନ୍ଦ କରାଯାଇଛି। ଯାତ୍ରୀମାନଙ୍କୁ ବିକଳ୍ପ ମାର୍ଗ ଆପଣେଇବାକୁ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ ଟ୍ବିଟ୍‌ର ଯୋଗେ କୁହାଯାଇଛି।

ସମ୍ବନ୍ଧିତ ଖବର