ନୂଆଦିଲ୍ଲୀ: ଦେଶର ଏକାଧିକ ବ୍ୟାଙ୍କ୍ରୁ ହଜାର ହଜାର କୋଟି ହଡ଼ପ କରି ଇଂଲଣ୍ଡରେ ଆତ୍ମଗୋପନ କରିଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବେ ଫସି ଯାଇଛନ୍ତି। ଏବେ ଖସିବାର ସବୁବାଟ ବନ୍ଦ ହୋଇ ଯାଇଛି। ଅକ୍ଟୋବର ୫ ତାରିଖ ଅପରାହ୍ନ ୨ ଟା ସମୟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜିରା ଦେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଆଜି ଦେଇଛନ୍ତି। ଏଥିସହ କୋର୍ଟ ପରିସରରେ ମାଲ୍ୟାଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ସୁପ୍ରିମ୍ କୋର୍ଟ ଗୃହ ମନ୍ତ୍ରାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ମାଲ୍ୟା ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିବା ପରେ ସୁପ୍ରିମ୍ କୋର୍ଟ ଏକ ମାମଲାର ଶୁଣାଣି କରି ଋଣ ନେଇଥିବା ଟଙ୍କା ବ୍ୟାଙ୍କକୁ ଫେରାଇବା ପାଇଁ ମାଲ୍ୟାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ୪୦ ମିଲିୟନ ଆମେରିକୀୟ ଡଲାର ତାଙ୍କ ପୁଅର ଆକାଉଣ୍ଟକୁ ସ୍ଥାନାନ୍ତର କରିଦେଇଥିଲେ।
Supreme Court directs fugitive businessman Vijay Mallya to be present in person before it on October 5 at 2 pm and directs Ministry of Home Affairs to ensure his presence in the courtroom on that day. pic.twitter.com/SEAzkoiJZb
— ANI (@ANI) August 31, 2020
ତେବେ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ଅବମାନନା କରିବା ପରେ ମେ’ ୨୦୧୭ରେ କୋର୍ଟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୭ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱାଧୀନ ବ୍ୟାଙ୍କଗୁଡିକର ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ରାୟ ଶୁଣାଇଥିଲେ। ପରେ ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମ୍ କୋର୍ଟରେ ଏକ ସମୀକ୍ଷା ଆବେଦନ କରିଥିଲେ, ଯାହାକୁ ଆଜି କୋର୍ଟ ଖାରଜ କରିଦେବା ସହ ସୁପ୍ରିମ୍ କୋର୍ଟରେ ବ୍ୟକ୍ତିଗତ ହାଜିରା ଦେବାକୁ ମାଲ୍ୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।