କାଲିଫର୍ଣ୍ଣିଆ: ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ସମଗ୍ର ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢୁଛି | ଲୋକମାନେ ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି | ଏପରି ପରିସ୍ଥିତିରେ ୪୫ ବର୍ଷ ପୁରୁଣା କମ୍ପ୍ୟୁଟରର ଚାହିଦା ବଢିବା ଭଳି ଖବର ସାମ୍ନାକୁ ଆସିଛି | ବାସ୍ତବରେ ଏହି ପୁରୁଣା କମ୍ପ୍ୟୁଟର ଏବେ,୧୧ କୋଟି ଟଙ୍କାରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି | ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏତେ ପୁରୁଣା କମ୍ପ୍ୟୁଟରରେ ଏଭଳି କଣ ଅଛି ଯେ, ମୂଲ୍ୟ ଏତେ ଅଧିକ ରହିଛି ? ମିଳିଥିବା ସୂଚନା ମୁତାବକ ଏହା ଏକ ସାଧାରଣ କମ୍ପ୍ୟୁଟର ନୁହେଁ |
ବରଂ, ଏହି କମ୍ପ୍ୟୁଟରକୁ ଆପଲର ସହ-ପ୍ରତିଷ୍ଠାତା ସ୍ବର୍ଗତଃ ଷ୍ଟିଭ ଜବ୍ସ ପ୍ରସ୍ତୁତ କରିଥିଲେ | ରିପୋର୍ଟ ଅନୁଯାୟୀ, ୧୯୭୬ ମସିହାରେ ସହ-ପ୍ରତିଷ୍ଠାତା ଷ୍ଟିଭ୍ ୱୋଜନାଇକଙ୍କ ସହ ମିଶି ଷ୍ଟିଭ୍ ଜବ୍ସ ଏହି କମ୍ପ୍ୟୁଟରର ଡିଜାଇନ୍ କରିଥିଲେ । ଆଉ ସେତେବେଳେ ପ୍ରସ୍ତୁତ ହୋଇଥିବା ଏହି କମ୍ପ୍ୟୁଟର ଏବେ ସୋସିଆଲ ମିଡ଼ିଆ ଇବେରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି | ଏହି ବିଜ୍ଞାପନରେ ଏହା ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ଦର୍ଶାଯାଇଛି | କମ୍ପାନୀର କହିବା ମୁତାବକ ଏହି କମ୍ପ୍ୟୁଟର କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି।
ବିଜ୍ଞାପନରେ କୁହାଯାଉଛି ଯେ ଏହା ଏକ ବିରଳ ସୁଯୋଗ, କାରଣ ବର୍ତ୍ତମାନ ସର୍ବମୋଟ ୬ଟି ଆପଲ-୧ କମ୍ପ୍ୟୁଟର ହିଁ ରହିଛି | ଆଉ ଅନ୍ୟମାନଙ୍କ ଅପେକ୍ଷା ଏହି କମ୍ପ୍ୟୁଟର ସର୍ବୋତ୍ତମ ସ୍ଥିତିରେ ଅଛି | ବିଜ୍ଞାପନ ଦେଇଥିବା ବ୍ୟକ୍ତିଜଣକ କହିଛନ୍ତି ଯେ, ସେ ଏହି କମ୍ପ୍ୟୁଟରର ଦ୍ୱିତୀୟ ମାଲିକ | ୧୯୭୮ ମସିହାରେ, ଏହାର ପ୍ରଥମ ମାଲିକ ଆପଲ୍-୨ କମ୍ପ୍ୟୁଟର କିଣିବା ପରେ ଏହାକୁ ବିକ୍ରି କରିଦେଇଥିଲେ |