ଆପେଲ୍‌ ଆପ୍‌ ଷ୍ଟୋର୍‌ରୁ ଟ୍ବିଟର୍‌ ଉପରେ ପ୍ରତିବନ୍ଧକ ଧମକ, ତାତିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆପେଲ୍‌ର ଆପ୍‌ ଷ୍ଟୋର୍‌ ଓ କର ନୀତି ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ବିଟର୍‌ ନୂଆ ମାଲିକ ଏଲନ ମସ୍କ। ଅପେଲ୍‌ ଟ୍ବିଟର୍‌ର ବିଜ୍ଞାପନ ବନ୍ଦ କରିବା ସହ ଆପେଲ୍‌ ଆପ୍‌ ଷ୍ଟୋର୍‌ରୁ ଟ୍ବିଟର୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କମ୍ପାନି ଧମକ ଧେଇଥିବା ମସ୍କ ଅଭିଯୋଗ ଆଣିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ୨୦୨୨ ମସିହାର ପ୍ରଥମ ୩ ମାସରେ ଟ୍ବିଟ୍‌ରର ସବୁଠାରୁ ଅଧିକ ବିଜ୍ଞାପନ କରୁଥିବା ଆପେଲ୍‌। ମାତ୍ର ‌ଏବେ ଟ୍ବିଟର୍‌ରେ ‘ଫ୍ରି ସ୍ପିଚ୍‌’ ବିରୋଧରେ ଯାଇ ଆପେଲ୍‌ ଏପରି କରିଛି। ତେବେ କମ୍ପାନି କିଛି କାରଣ ନଜଣାଇ ଏପରି ଏକ ଧମକ ଦେଇଥିବାରୁ ଟ୍ବିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମସ୍କ।

ଏହି ଘଟଣାକୁ ନେଇ ଅନେକ ମସ୍କଙ୍କ ପ୍ରଶଂସକ ଟ୍ବିଟର୍‌ରେ ‘ଫ୍ରି ସ୍ପିଚ୍‌’ ଉପରେ ପ୍ରଚାର କରିବା ଆରମ୍ଭ କରିଛନ୍ତି। ଆପେଲ୍‌ ଏପରି କାହିଁକି କରୁଛି ବୋଲି ସ୍ପଷ୍ଟ ସୂଚନା ନଥିଲେ ବି ଟ୍ବିଟ୍‌ ଓ ମସ୍କଙ୍କ ମତାମତରୁ ଜଣାପଡୁଛି ଯେ ଟ୍ବିଟର୍‌ର ‘ଫ୍ରି ସ୍ପିଚ୍‌’ ନୀତିକୁ ନେଇ ଆପେଲ୍‌ ଏପରି ନିଷ୍ପତ୍ତି ନେଇଥାଇପାରେ।

 

ହଜାର ହଜାର କର୍ମଚାରୀ ଟ୍ବିଟର୍‌ ଛାଡୁଥିବା ବେଳେ କମ୍ପାନିର ମାଲିକ ଏଲନ ମସ୍କ ନୂଆ ନୂଆ ନୀତି ଅପଣେଇବାରେ ଲାଗିଛନ୍ତି। ସେ ନିକଟରେ ‘ହେଟ୍‌ ସ୍ପିଚ୍‌’ ଉପରେ ଏକ ନୀତି ବନାଇଛନ୍ତି। ମସ୍କ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଟ୍ବିଟର୍‌ ନୀତିରେ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଅଛି, ମାତ୍ର ଫ୍ରିଡମ୍‌ ଅଫ୍‌ ରିଚ୍‌ ନାହିଁ’। ଯାହାର ଅର୍ଥ ହେଉଛି ଲୋକେ ଯାହା ଚାହିଁବେ ଟ୍ବିଟର୍‌ରେ ଲେଖିପାରିବେ। ମାତ୍ର ତାହା ଯଦି ଉପଯୁକ୍ତ ଲେଖା ହୋଇନଥାଏ ତ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ବା ରିଚ୍‌ ହେବା କଠିନ ହୋଇପଡ଼ିବ।

 

ସମ୍ବନ୍ଧିତ ଖବର