ଆବେଦନ ଖାରଜ ୨ ସପ୍ତାହରେ ହେରାଲ୍ଡ ହାଉସ୍‌ ଖାଲି କରିବାକୁ ନିର୍ଦେଶ

ନୂଆଦିଲ୍ଲୀ: ବିବାଦୀୟ ନ୍ୟାସନାଲ୍‌ ହେରାଲ୍ଡ ହାଉସ୍‌ ଖାଲି କରିବାପାଇଁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇ ଯାଇଛି। ୨ ସପ୍ତାହ ଭିତରେ କଂଗ୍ରେସକୁ ହେରାଲ୍ଡ ହାଉସ୍‌ ଖାଲି କରିବାକୁ ପଡ଼ିବ ବୋଲି ଆଜି କୋର୍ଟ ଏ ବାବଦ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଆସୋସିଏଟେଡ୍‌ ଜର୍ଣ୍ଣାଲ୍‌ ଲିମିଟେଡ୍‌ (ଏଜେଏଲ୍‌) ହେରାଲ୍ଡ ହାଉସ୍‌ ଖାଲି କରିବା ପାଇଁ ଭୂ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ୩୦ ‌ଅକ୍ଟୋବର ଆଦେଶକୁ ହାଇକୋର୍ଟରେ ଚାଲେଂଜ କରିଥିଲା। କେନ୍ଦ୍ର ସରକାର ଏହାକୁ ବି‌ରୋଧ କରିଥିଲେ ଏବଂ ନ୍ୟାସନାଲ୍‌ ହେରାଲ୍ଡ ଖବରକାଗଜ ଦ୍ବାରା ଲିଜ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ହେରାଲ୍ଡ ହାଉସ୍‌ ଖାଲି କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଏ ବାବଦରେ ସମସ୍ତ ପକ୍ଷଙ୍କୁ ଶୁଣିବାପରେ ୨୨ ନଭେମ୍ବରରେ ରାୟ ସଂରକ୍ଷିତ ରଖିଥିଲେ। କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ ଯେ ଯେଉଁ ଉଦ୍ଦେଶ୍ୟରେ ସରକାରୀ ସମ୍ପତ୍ତିକୁ ନ୍ୟାସନାଲ୍‌ ହେରାଲ୍ଡକୁ ଦିଆଯାଇଥିଲା ସେହି ଉଦ୍ଦେଶ୍ୟରେ କାମ ହେଉନଥିଲା। ଲିଜ୍‌ ସରିବା ପରେ ଖବରକାଗଜ ବାହାର କରିବାର କୌଣସି ଅର୍ଥ ନାହିଁ ବୋଲି ସରକାର କୋର୍ଟରେ ଯୁକ୍ତି କରିଥିଲେ। ସୂଚନାଯୋଗ୍ୟ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପଟିଆଲା ହାଉସ୍‌ କୋର୍ଟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ପିଟିସନ୍‌ ଦାଏର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟମାନେ ହେରାଲ୍ଡ ଜାଲିଆତିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର