ମିଡିଆ ରିପୋର୍ଟକୁ ବାରଣ ଆବେଦନ ଖାରଜ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ବିଷୟରେ କୌଣସି ଗଣମାଧ୍ୟମରେ ପ୍ରକାଶ ନକରିବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି।
ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ଙ୍କୁ ନେଇ ଗଠିତ ହାଇ କୋର୍ଟର ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ କରିବା ସହ ଏଥିରେ କୌଣସି ହସ୍ତକ୍ଷେପର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି। ସୁପ୍ରିମ କୋର୍ଟ ଏହି ମାମଲା ଉପରେ ତଦନ୍ତ ଜାରି ରଖିଥିବାରୁ ଏହାର ଆବଶ୍ୟକତା ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଆଣ୍ଟି କରପ୍‌ସନ୍‌ କାଉନ୍ସିଲ୍‌ ଅଫ ଇଣ୍ଡିଆ ନାମକ ବେସରକାରୀ ସଂସ୍ଥା ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ବିଷୟରେ ମିଡିଆରେ ପ୍ରକାଶ ଏବଂ ପ୍ରସାରଣ ଉପରେ ରୋକ୍‌ ଲଗାଇବାକୁ ଦିଲ୍ଲୀ ହାଇ କୋର୍ଟରେ ଆବେଦନ କରିଥିଲା। ପ୍ରଧାନ ବିଚାରପତିଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ଅଭିଯୋଗର ପ୍ରକାଶନ ସିଧା ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା ଯୋଗୁଁ ମିଡ଼ିଆକୁ ତୁରନ୍ତ ବାରଣ କରାଯାଉ ବୋଲି ସଂସ୍ଥା ପକ୍ଷରୁ ଯୁକ୍ତି କରାଯାଇଥିଲା। ସୁପ୍ରିମ କୋର୍ଟର ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଦ୍ୱାରା ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ମିଡ଼ିଆ ରିପୋର୍ଟ ଉପରେ ରୋକ୍‌ ଲଗାଇବାକୁ ଉକ୍ତ ସଂସ୍ଥା ଆବେଦନ କରିଥିଲା।

ସମ୍ବନ୍ଧିତ ଖବର