ନୂଆଦିଲ୍ଲୀ : ନାଗରିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କାଗଜପତ୍ର ସହ ଆଧାର ସଂଯୋଗ ପାଇଁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଉତ୍ତର ଦେବାକୁ କହିଛନ୍ତି। କଳାଧନ ଠୁଳ, ବେନାମୀ କାରବାର ଓ ଦୁର୍ନୀତିକୁ ରୋକିବା ପାଇଁ ସମ୍ପତ୍ତି ସହ ଆଧାର ସଂଯୋଗ ନିମନ୍ତେ ଆବେଦନ କରାଯାଇଛି।
ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଖଣ୍ଡପୀଠ ଉକ୍ତ ପିଟିସନ ଉପରେ ଚାରି ସପ୍ତାହ ଭିତରେ ଉତ୍ତର ଦେବା ପାଇଁ କେନ୍ଦ୍ର ଅର୍ଥ, ଆଇନ, ଗୃହ ଓ ସହର ବ୍ୟାପାର ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଏହା ଏକ ଭଲ ପ୍ରସ୍ତାବ ଏବଂ କେନ୍ଦ୍ର ସରକାର କ’ଣ ଉତ୍ତର ଦେଉଛନ୍ତି ଦେଇସାରନ୍ତୁ। ତା’ପରେ ଜୁଲାଇ ୧୮ ତାରିଖରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ।
ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା ଏବଂ କେନ୍ଦ୍ର ସରକାରଙ୍କ ସ୍ଥାୟୀ ଆଇନ ପରାମର୍ଶଦାତା ମନିଷ ମୋହନ କେନ୍ଦ୍ର ସରକାରଙ୍କ ତରଫରୁ କହିଥିଲେ ଯେ ଏହା ଏକ ଉତ୍ତମ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।
ପିଟିସନର ତଥା ଓକିଲ ଅଶ୍ବିନୀ ଉପାଧ୍ୟାୟ କହିଥିଲେ, ଦୁର୍ନୀତିକୁ ରୋକିବା ଓ ବେଆଇନ ଉପାୟରେ ଠୁଳ କରାଯାଇଥିବା ବେନାମୀ ସମ୍ପତ୍ତି ଜବତ କରିବା ହେଉଛି ସରକାରଙ୍କ ଦାୟିତ୍ବ। ସମ୍ପତ୍ତି ସହ ଆଧାର ସଂଯୋଗ ହେଲେ ଏହି ଦୁର୍ନୀତିକୁ ରୋକାଯାଇପାରିବ। ଉଚ୍ଚମୂଲ୍ୟର ମୁଦ୍ରା ଦ୍ବାରା ବେନାମୀ କାରବାର ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଯଥା ଆତଙ୍କବାଦ, ନକ୍ସଲବାଦ, ଜୁଆ ଓ ମନିଲଣ୍ଡରିଂକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/delhi-high-court.jpg)