ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ(ଏସ୍ସି/ଏସ୍ଟି ଆକ୍ଟ)-୧୯୮୯ର ପୂର୍ବ ସ୍ଥିତି କାଏମ୍ ରଖିବା ପାଇଁ ଆଜି କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଆବେଦନ ଦାଖଲ କରିଛନ୍ତି। ଏହି ଆଇନରେ କଡ଼ା ସର୍ତ୍ତ ଲଗାଇ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି ଦେଶ ତମାମ ହିଂସା ଦେଖାଦେବା ସହ ୯ ଜଣଙ୍କର ଜୀବନ ଯାଇଥିବା ବେଳେ ମାନ୍ୟବର ଅଦାଲତ ସରକାରଙ୍କ ଆବେଦନର ତୁରନ୍ତ ଶୁଣାଣି କରିବା ପାଇଁ ମନା କରିଦେଇଛନ୍ତି। ଏସ୍ସି/ଏସ୍ଟି ଆକ୍ଟ-୧୯୮୯ ଅନୁଯାୟୀ, ଅନୁସୂଚିତ ଜାତି/ଜନଜାତିଙ୍କ ବିରୋଧରେ କୌଣସି ବି ଅପରାଧ ଧର୍ତ୍ତବ୍ୟ ଏବଂ ଜାମିନବିହୀନ ଭାବେ ବିବେଚନା କରାଯିବ।
ତେବେ ଏହି ଆଇନର ଦୁରୁପଯୋଗ ଆଶଙ୍କା କରି ମାନ୍ୟବର ସୁପ୍ରିମ କୋର୍ଟ ଅଭିଯୋଗ ମିଳିଲା ଏହି ଆଇନ ବଳରେ କାହାକୁ ତୁରନ୍ତ ଗିରଫ କରାଯାଇପାରିବନି ବୋଲି ଗତ ମାସରେ ରାୟ ଦେବା ସହ ସେଥିରେ କଡ଼ା ସର୍ତ୍ତ ଲଗାଇଥିଲେ। ତେବେ ଏହାକୁ କେନ୍ଦ୍ର ସରକାରଙ୍କ ସମେତ ବିରୋଧୀ କଂଗ୍ରେସ ଏବଂ ଆର୍ଜେଡି ଆଦି ଦଳ ବିରୋଧ କରିବା ସହ ଅଦାଲତଙ୍କ ଏହି ରାୟ ସଂପୃକ୍ତ ଆଇନକୁ ହାଲୁକା କରିଦେଉଛି ବୋଲି ଅଭିଯୋଗ କରିଥିଲେ। ତେବେ ସୁପ୍ରିମ କୋର୍ଟ ତାଙ୍କ ରାୟର ପୁନର୍ବିଚାର କରି ଏହି ଆଇନର ପୂର୍ବ ସ୍ଥିତି କାଏମ୍ ରଖିବାକୁ କେନ୍ଦ୍ର ସରକାର ଆବେଦନ କରିବା ସହ ସାମ୍ପ୍ରତିକ ସ୍ଥିତିରେ ଏହାର ତତ୍କାଳ ଶୁଣାଣି ପାଇଁ ନିବେଦନ କରିଥିଲେ। ମାତ୍ର ପ୍ରଧାନ ବିଚାରପତି ଦୀପକ ମିଶ୍ର ଆବେଦନକୁ ଗ୍ରହଣ କରିଥିବା ବେଳେ ମାମଲାର ତୁରନ୍ତ ବିଚାର ପାଇଁ ମନା କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/SUPREMECOURT.jpg)