ନୂଆଦିଲ୍ଲୀ: ଶରିୟତ ପରିବର୍ତ୍ତେ ଭାରତୀୟ ଉତ୍ତରାଧିକାରୀ ଆଇନ ଅନୁଯାୟୀ ପରିଚାଳିତ ହେବା ପାଇଁ ଜଣେ ମୁସଲମାନ ମହିଳାଙ୍କ ଆବେଦନ ଉପରେ ସୁପ୍ରିମ୍କୋର୍ଟ ମଙ୍ଗଳବାର କେନ୍ଦ୍ରର ଆଭିମୁଖ୍ୟ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ‘କେରଳର ପୂର୍ବତନ ମୁସଲମାନ ସଂଗଠନ’ର ସାଧାରଣ ସମ୍ପାଦକ ତଥା ଆଲାପୁଜାର ସଫିଆ ପିଏମ୍ଙ୍କ ଆବେଦନର ଶୁଣାଣି କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ଆବେଦନ ଏକ ରୋଚକ ପ୍ରଶ୍ନ ଉଠାଇଛି। ଆବେଦନକାରୀ ମହିଳା ଜଣକ ଜଣେ ଜନ୍ମଜାତ ମୁସଲମାନ। ସେ କହିଛନ୍ତି ଯେ ସେ ଶରିୟତରେ ବିଶ୍ୱାସ କରନ୍ତି ନାହିଁ ଏବଂ ସେ ଭାବନ୍ତି ଯେ ଏହା ଏକ ପଛୁଆ ଆଇନ। ଖଣ୍ଡପୀଠ କହିଛନ୍ତି, ଆପଣଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ମେହେଟ୍ଟା ଜବାବୀ ସତ୍ୟପାଠ ପାଇଁ ତିନି ସପ୍ତାହ ସମୟ ମାଗିଥିଲେ। ଖଣ୍ଡପୀଠ ୪ ସପ୍ତାହ ସମୟ ଦେଇ କହିଛନ୍ତି ଯେ ମେ ୫ରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗତବର୍ଷ ଏପ୍ରିଲ ୨୯ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନ ଉପରେ କେନ୍ଦ୍ର ଓ କେରଳ ସରକାରଙ୍କୁ ଜବାବ ମାଗିଥିଲେ।
ଆବେଦନକାରୀ କହିଛନ୍ତି ଯେ, ଯଦିଓ ସେ ଆନୁଷ୍ଠାନିକ ଭାବେ ଇସଲାମ ଛାଡି ନାହାନ୍ତି, ତଥାପି ସେ ଜଣେ ଅବିଶ୍ୱାସୀ ଏବଂ ଧାରା ୨୫ ଅଧୀନରେ ତାଙ୍କର ଧର୍ମର ମୌଳିକ ଅଧିକାରକୁ କାର୍ଯ୍ୟକାରୀ କରିବାକୁ ଚାହୁଛନ୍ତି ଏବଂ ଏଥିରେ ‘ବିଶ୍ୱାସ ନ କରିବାର ଅଧିକାର’ ମଧ୍ୟ ଅନ୍ତର୍ଭୁକ୍ତ ହେବା ଉଚିତ। ମୁସଲମାନ ବ୍ୟକ୍ତିଗତ ଆଇନ ଦ୍ୱାରା ପରିଚାଳିତ ହେବାକୁ ଚାହୁ ନ ଥିବା ବ୍ୟକ୍ତିମାନଙ୍କୁ ଦେଶର ଧର୍ମନିରପେକ୍ଷ ଆଇନ- ଭାରତୀୟ ଉତ୍ତରାଧିକାର ଆଇନ, ୧୯୨୫ ଦ୍ୱାରା ପରିଚାଳିତ ହେବାକୁ ଅନୁମତି ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ତାଙ୍କ ଓକିଲ କହିଛନ୍ତି ଯେ ଆବେଦନକାରୀ ମୁସଲମାନ ବ୍ୟକ୍ତିଗତ ଆଇନ ଦ୍ୱାରା ପରିଚାଳିତ ନୁହନ୍ତି ବୋଲି ଘୋଷଣା ଅଦାଲତରୁ ଆସିବା ଦରକାର, ନଚେତ୍ ତାଙ୍କ ପିତା ସମ୍ପତ୍ତିର ଏକ ତୃତୀୟାଂଶରୁ ଅଧିକ ଦେଇପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/29/VnBSNtqUE1dtAA55HAiw.jpg)