ନୂଆଦିଲ୍ଲୀ: ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦିଗରେ ଆଜି ତତ୍ପରତା ଦେଖାଇଛି ଏବଂ ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି। ଆସନ୍ତାକାଲି ପର୍ଯ୍ୟବେକ୍ଷକଙ୍କ ଦ୍ବାରା ୩ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି କୁହାଯାଉଛି । ରାଜସ୍ଥାନ ପାଇଁ ବରିଷ୍ଠ ନେତା ରାଜନାଥ ସିଂହ, ବିନୋଦ ତାବଡ଼େ ଏବଂ ସରୋଜ ପାଣ୍ଡେ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ମଧ୍ୟପ୍ରଦେଶ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ ଏବଂ ଆଶା ଲଖଡ଼େ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ ଛତିଶଗଡ଼ ପାଇଁ ଅର୍ଜୁନ ମୁଣ୍ଡା ଏବଂ ସର୍ବାନନ୍ଦ ସୋନୋୱାଲ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ଆସନ୍ତାକାଲି ବିଧାୟକ ଦଳ ବୈଠକ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।

Advertisment

ବୈଠକରେ ପର୍ଯ୍ୟବେକ୍ଷକମାନେ ପ୍ରଥମେ ବିଧାୟକମାନଙ୍କଠାରୁ ମତାମତ ସଂଗ୍ରହ କରିବେ। ଏହାପରେ କେନ୍ଦ୍ରୀୟ ନେତୃତ୍ବ ସହ ପରାମର୍ଶ କରାଯାଇ ନାମ ଘୋଷଣା ହେବ । ସୂଚନାଯୋଗ୍ୟ, ଏହି ତିନି ରାଜ୍ୟରେ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ବିଜୟୀ ହୋଇଥିଲା। ପୂର୍ବରୁ ମଧ୍ୟ ବିଜେପି ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆସାମ ସମେତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲା। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପିର ଅନେକ ସାଂସଦ ଓ ମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଛନ୍ତି ଏବଂ ସାଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୌଡ଼ ଅଧିକ ରୋଚକ ହୋଇଉଠିଛି। ସାଂସଦ ମହନ୍ତ ବାଲକନାଥ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରାକେଶ ସିଂହ, ଉଦୟ ପ୍ରତାପ ସିଂହ, ରୀତି ପାଠକ, ପ୍ରହ୍ଲାଦ ପଟେଲଙ୍କ ସମେତ ୧୨ ସାଂସଦ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ବଢ଼ିଛି।