ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ ହୋଇନି, ଷ୍ଟାଣ୍ଡିଂ କମିଟି ରିପୋର୍ଟ

ନୂଆଦିଲ୍ଲୀ/କଟକ : ଓଡ଼ିଶା ହାଇକୋର୍ଟରେ ୧୨ ଜଣ ବିଚାରପତିଙ୍କ ପଦ ଖାଲି ରହିଛି। ଏହାକୁ ମିଶାଇଲେ ସାରାଦେଶରେ ୨୧୧ ଜଣ ବିଚାରପତିଙ୍କ ପଦ ଖାଲି ରହିଛି। ମାତ୍ର, ଏହି ପଦ ପୂରଣ ନିମନ୍ତେ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟଙ୍କ ପକ୍ଷରୁ ସୁପାରିଶ କରାଯାଇନାହିଁ। ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି।

ଓଡ଼ିଶା ହାଇକୋର୍ଟରେ ଯେଉଁ ୧୨ ଜଣ ବିଚାରପତିଙ୍କ ପଦ ଖାଲି ପଡ଼ିଛି, ବାର୍‌ କୋଟାରୁ ୮ ଜଣ ଓ ସର୍ଭିସ୍‌ କୋଟାରୁ ୪ ଜଣ ମାଧ୍ୟମରେ ଏହାର ପୂରଣ କରାଯିବ। ଗତ ୨୦୧୪ ମସିହା ଅକ୍ଟୋବର ୧୪ ତାରିଖରେ ବାର୍‌ କୋଟାରୁ ପ୍ରଥମେ ସୁପାରିଶ କରାଯାଇଥିଲା। ଇତିମଧ୍ୟରେ ୮୪ ମାସ ଅତିକ୍ରମ ହୋଇସାରିଛି। ସେହିଭଳି, ୨୦୧୮ ମସିହା ଫେବ୍ରୁଆରି ୧ ତାରିଖରେ ସର୍ଭିସ୍‌ କୋଟାରୁ ପ୍ରଥମ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିଲା। ଏହି ସୁପାରିଶର ୪୩ ମାସ ବି ବିଳମ୍ବ ହୋଇଛି। ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ପର୍ସୋନାଲ ପବ୍ଳିକ୍ ଗ୍ରିନ୍‌ସେସ୍ ବିଧି ଓ ଆଇନ ସଂପର୍କି ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କରାଯାଇଛି। ଷ୍ଟାଣ୍ଡିଂ କମିଟି ମଧ୍ୟ ଖାଲି ପଡ଼ିଥିବା ବିଚାରପତି ପଦ ତୁରନ୍ତ ପୂରଣ କରିବା ପାଇଁ ସୁପାରିଶ କରିଛନ୍ତି।

ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଓଡ଼ିଶାରେ ୭୫୦ଟି ମଞ୍ଜୁରୀପ୍ରାପ୍ତ ନୋଟାରୀ ପଦ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦୪ଟି ପଦ ଖାଲିରହିଛି। ଗତବର୍ଷ ଏହି ପଦରେ କୌଣସି ନିଯୁକ୍ତି ପ୍ରଦାନ କରାଯାଇନାହିଁ। ଓଡିଶା ହାଇକୋର୍ଟକୁ ଇ-କୋର୍ଟ ମିଶନ ମୋଟ ପ୍ରକଳ୍ପ ଅନ୍ତର୍ଗତ ୪୬.୪୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଗତ ତିନି ବର୍ଷରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ ପାଇଁ ୫୮.୧୯ କୋଟିଟଙ୍କା ମଞ୍ଜୁର କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି, ରାଜ୍ୟରେ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ସମୁଦାୟ ୧୫ଟି ଫାଷ୍ଟଟ୍ରାକ୍‌ କାର୍ଯ୍ୟ କରୁଥିବାର ରିପୋର୍ଟରେ କୁହାଯାଇଛି । ସେହିଭଳି, କଟକସ୍ଥିତ ଇନ୍‌କମ୍‌ଟ୍ୟାକ୍ସ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ରେ ମାର୍ଚ୍ଚ ୩୧,୨୦୨୦ ସୁଦ୍ଧା ୯୨୩ଟି ମାମଲା ବିଚାରାଧୀନ ଥିବାର କୁହାଯାଇଛି। ଓଡିଶା ହାଇକୋର୍ଟରେ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ୬ ଜଣ ବରିଷ୍ଠ ପ୍ୟାନେଲ କାଉନ୍‌ସେଲ୍ ତଥା ୧୧ ଜଣ କେନ୍ଦ୍ର ସରକାରଙ୍କ କାଉନ୍‌ସେଲ ନିୟୋଜିତ ଥିବାର କୁହାଯାଇଛି। ରିପୋର୍ଟରେ ଓଡିଶା ହାଇକୋର୍ଟରେ ସ୍ବାଭାବିକ ଶୁଣାଣି ହୋଇନଥିବାବେଳେ ଜିଲ୍ଲା ଅଦାଲତ ମାନଙ୍କରେ ସ୍ବାଭାବିକ ଶୁଣାଣି ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର