ବିଚାରପତି ନିଯୁକ୍ତି : କେନ୍ଦ୍ର-କଲେଜିୟମ ପୁଣି ମୁହାଁମୁହିଁ, ସରକାରଙ୍କ ଆପତ୍ତିକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ପଦ ପାଇଁ ୪ ଓକିଲଙ୍କ ନାମକୁ ପୁଣି ପଠାଇଲେ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ମାମଲାରେ କେନ୍ଦ୍ର ସରକାର ଏବଂ ସୁପ୍ରିମ୍‌ କୋର୍ଟ କଲେଜିୟମ ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଉପୁଜିଛି। କର୍ଣ୍ଣାଟକ ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ସୁପ୍ରିମ୍‌ କୋର୍ଟଙ୍କ ସୁପାରିସ୍‌କୁ କେନ୍ଦ୍ର ସରକାର ଫେରାଇ ଦେଇଥିବା ବେଳେ କଲେଜିୟମ ଏହି ପ୍ରସ୍ତାବକୁ ପୁଣି କେନ୍ଦ୍ରକୁ ପଠାଇଛି। ସୁପାରିସ୍‌ ତାଲିକାରେ ଥିବା ଜଣେ ଓକିଲ ଜମି ମାଫିଆ ଏବଂ ଅଣ୍ଡରୱାର୍ଲଡ ସହିତ ଘନିଷ୍ଠ ଥିବାରୁ ତାଙ୍କ ନାମ ହଟାଇବାକୁ କେନ୍ଦ୍ର ସରକାର କହିଥିଲେ। ତେବେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ କେନ୍ଦ୍ର ସରକାରଙ୍କ ଆପତ୍ତିକୁ ଖାରଜ କରିଦେଇଛନ୍ତି ଏବଂ ପୁଣି ଥରେ ଏହି ଚାରି ଓକିଲଙ୍କ ନାମକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି।

ଚଳିତ ବର୍ଷ ମାର୍ଚରେ ସୁପ୍ରିମ୍‌ କୋର୍ଟ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୮ ଜଣ ଓକିଲଙ୍କ ନାମକୁ ସୁପାରିସ କରିଥିଲେ। ସରକାର ସେଥିରୁ ୪ ଜଣଙ୍କ ନାମକୁ ସ୍ବୀକାର କରିଥିଲେ ଏବଂ ଅନ୍ୟ ୪ ନାମକୁ ଗ୍ରହଣ କରବାକୁ ମନା କରି‌ଥିଲେ। ତେବେ କେନ୍ଦ୍ର ସରକାର ଯେଉଁ ଆପତ୍ତି ଆଧାରରେ ଓକିଲଙ୍କ ନାମକୁ ଗ୍ରହଣ କରିନାହାନ୍ତି ସେଥିରେ ଦମ୍‌ ନାହିଁ ବୋଲି କଲେଜିୟମ କହିଛି। ସରକାରଙ୍କ ଆପତ୍ତିକୁ ଖାରଜ କରି ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍‌ ଏସ୍‌.ଏ. ବବ୍‌ଡେ ଏବଂ ଜଷ୍ଟିସ୍‌ ଏନ୍‌.ବି. ରମଣାଙ୍କ କଲେଜିୟମ କହିଛନ୍ତି ଯେ କୌଣସି ଅଭିଯୋଗ ପ୍ରମାଣ ହୋଇନଥିବାରୁ ସଂପୃକ୍ତ ଓକିଲଙ୍କ ନାମକୁ ହଟାଯିବାର କିଛି କାରଣ ନାହିଁ।

ଏହା ପୂର୍ବରୁ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏ.ଏ. କ୍ୟୁରେସିଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯିବା ପାଇଁ କଲେଜିୟମ ସୁପାରିସକୁ କେନ୍ଦ୍ର ସରକାର ଫେରାଇ ଦଇେଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ୍‌ କେ.ଏମ୍‌. ଯୋଶେଫ୍‌ଙ୍କ ମାମଲା ମଧ୍ୟ ଚର୍ଚ୍ଚାରେ ରହିଥିଲା। କଲେଜିୟମ ଉତ୍ତରାଖଣ୍ଡ ହାଇକୋଟର୍ର ତତ୍କାଳୀନ ମୁଖ୍ୟ ବିଚାରପତି .କେ.ଏମ୍‌. ଯୋଶେଫଙ୍କ ନାମକୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ କଲେଜିୟମର ସୁପାରିସକୁ କେନ୍ଦ୍ର ସରକାର ବରିଷ୍ଠତା ଆଧାର ଦେଖାଇ ଫେରାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଯୋଶେଫଙ୍କ ନାମକୁ ପୁଣି କଲେଜିୟମ ସୁପାରିସ୍‌ କରିବା ପରେ ସରକାର ଏହାକୁ ମାନିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର