ସିବିଆଇ ମୁଖ୍ୟ ନିଯୁକ୍ତି ଟଳିଲା

ମନୋନୟନ କମିଟି ବୈଠକ ଅସଂପୂର୍ଣ୍ଣ, ଧରାଇଦେଲେ ୭୦/୮୦ ଅଧିକାରୀଙ୍କ ତାଲିକା, ଅଧିକାରୀଙ୍କ ସଂପର୍କରେ ତଥ୍ୟ ମଗାଗଲା

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦେଶକ ବାଛିବା ଲାଗି ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଆସନ୍ତା ସପ୍ତାହ ପୁଣି ବୈଠକ ବସିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚ କ୍ଷମତାସଂପନ୍ନ କମିଟି ବୈଠକରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗେ‌ାଗୋଇ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନାହିଁ।

ବୈଠକ ପରେ ଖାଡ଼ଗେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୭୦ରୁ ୮୦ ଜଣ ଅଧିକାରୀମାନଙ୍କ ତାଲିକା ସେମାନଙ୍କୁ ଦିଆଯାଇଛି। ଏହା ଉପରେ ଆଲୋଚନା ହୋଇଥିଲା। କିନ୍ତୁ ସଂପୃକ୍ତ ଅଧିିକାରୀମାନଙ୍କ କ୍ୟାରିୟର ସଂପର୍କରେ କିଛି ତଥ୍ୟ ଦିଆଯାଇ ନାହିଁ। ଏସଂପର୍କରେ ଆମେ (ଜଷ୍ଟିସ ଗୋଗୋଇ ଏବଂ ଖାଡ଼ଗେ) ଅଧିକ ତଥ୍ୟ ଦେବାକୁ କହିଛୁ। ତଥ୍ୟ ମିଳିଲା ପରେ ଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପରବର୍ତୀ ବୈଠକ ଆସନ୍ତା ସପ୍ତାହ ବସିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖରେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଯିବା ପରେ ତାଙ୍କ ସ୍ଥାନରେ ନାଗେଶ୍ବର ରାଓ ଅସ୍ଥାୟୀ ନିର୍ଦେଶକ ରୂପେ ଦାୟିତ୍ବ ତୁଲାଉଛନ୍ତି। ରାଓଙ୍କ ନିଯୁକ୍ତିକୁ ମଧ୍ୟ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରାଯାଇଛି।

ସିବିଆଇର ପରବର୍ତୀ ମୁଖ୍ୟ ପଦ ଲାଗି କେନ୍ଦ୍ର ସରକାର ୧୨ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରେ ୧୯୮୨ରୁ ୧୯୮୫ ମଧ୍ୟର ଆଇପିଏସ୍ କ୍ୟାଡର ଅଧିକାରୀ ଅଛନ୍ତି। ବରିଷ୍ଠତା, ସ୍ବଚ୍ଛତା ଏବଂ ଦୁର୍ନୀତି ବିରୋଧୀ ତଦନ୍ତରେ ଅଭିଜ୍ଞତା ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଏହି ତାଲିକ‌ାରେ ଯେଉଁ ଆଇପିଏସ୍ ଅଧିକାରୀଙ୍କୁ ରଖାଯାଇଛି ‌େସମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ପୁଲିସ ଡିଜି ଶିବାନନ୍ଦ ଝା, ବିଏସ୍ଏଫର ଡିଜି ରଜନିକାନ୍ତ ମିଶ୍ର, ସିଆଇଏସଏଫ୍ ଡିଜି ରାଜେଶ ରଂଜନ, ଏନଆଇଏ ଡିଜି ୱାଇସି ମୋଦୀ ଏବଂ ମୁମ୍ବାଇ ପୋଲିସ କମିସନର ସୁବୋଧ ଝା। ଯଦି ବରିଷ୍ଠତାକୁ ବିଚାର କରାଯାଏ ତାହାହେଲେ ଶିବାନନ୍ଦ ଝା ସିବିଆଇ ମୁଖ୍ୟ ହୋଇପାରନ୍ତି। ‌ତାଙ୍କୁ ନିଯୁକ୍ତି ମିଳିଲେ ବିବାଦୀୟ ରାକେଶ ଆସ୍ଥାନାଙ୍କୁ ଗୁଜରାଟ ପୋଲିସ ଡିଜି କରାଯାଇପା‌େର ବୋଲି କୁହାଯାଉଛି। ଆଲୋକ ବର୍ମାଙ୍କ ସହ ବିବାଦ ଯୋଗୁଁ ଆସ୍ଥାନାଙ୍କୁ ସିବିଆଇରୁ ହଟାଇ ଦିଆଯାଇଛି। ସେ ସିବିଆଇର ସ୍ବତନ୍ତ୍ର ନିର୍ଦେଶକ ଥିଲେ।

ତେବେ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ମୁଖ୍ୟ ୱାଇସି ମୋଦୀ ସିବିଆଇ ମୁଖ୍ୟ ଲାଗି ଦୃଢ଼ ଦାବିଦାର ବୋଲି କୁହାଯାଉଛି। ସିବିଆଇରେ ସେ ଦୀର୍ଘ ଦିନ ହେଲା କାମ କରିଛନ୍ତି। ଆରଏସଏସ ସହିତ ତାଙ୍କର ଭଲ ସଂପର୍କ ଥିବା କୁହାଯାଉଛି। ସେହିଭଳି ମୁମ୍ବାଇ ପୋଲିସ କମିସନର ଜୟସୱାଲଙ୍କର ମଧ୍ୟ ଆରଏସଏସ ସହ ଉତ୍ତମ ସଂପର୍କ ରହିଛି। ତେବେ ବିଏସ୍‌ଏଫ୍‌ ଡିଜି ଆରକେ ମିଶ୍ରଙ୍କୁ ମଧ୍ୟ ଅନ୍ୟତମ ଦାବିଦାର ବୋଲି ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପ୍ରିନସିପାଲ ସେକ୍ରେଟାରି ନୃପେନ୍ଦ୍ର ମିଶ୍ରଙ୍କର ସେ ଖାସ ଲୋକ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର