ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୨ରୁ ୩୦ ଭିତରେ ମା’ ହେଲେ ଭଲ

ଗୌହାଟୀ: ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଗୁରୁମନ୍ତ୍ର। ସଠିକ ସମୟରେ ବିବାହ ଓ ମା’ ହେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ସେ ଆଜି କହିଛନ୍ତି ଯେ ମହିଳାମାନେ ଉପଯୁକ୍ତ ବୟସରେ ବିବାହ କରିବା ସହ ମା’ ହେବା ଉଚିତ। ଏଭଳି ନହେଲେ ଗର୍ଭବତୀ ହେବାରେ ଜଟିଳତା ଦେଖାଯାଇଥାଏ। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶର୍ମା ଏଭଳି କହିବା ସହ ବାଲ୍ୟ ବିବାହକୁ ବନ୍ଦ କରାଯିବା ଉଚିତ୍ ବୋଲି ମତ ରଖିଛନ୍ତି।

ସେ କହିଛନ୍ତି ଯେ “ଆସନ୍ତା ପାଞ୍ଚ-ଛଅ ମାସ ମଧ୍ୟରେ ହଜାର ହଜାର ସ୍ୱାମୀଙ୍କୁ ଗିରଫ କରାଯିବ। କାରଣ ୧୪ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ବିବାହ କରି ତାଙ୍କ ସହିତ ଯୌନ ସମ୍ପର୍କ ରଖିବା ଅପରାଧ। ଜଣେ ମହିଳାଙ୍କ ବିବାହ ପାଇଁ ଆଇନଗତ ବୟସ ହେଉଛି ୧୮ବର୍ଷ। ଯେଉଁମାନେ ୧୮ବର୍ଷରୁ କମ ବୟସର ଝିଅମାନଙ୍କୁ ବିବାହ କରିବେ ସେମାନଙ୍କୁ ଗିରଫ କରାଯିବ। ଏଭଳି ଅପରାଧ କରୁଥିବା ଲୋକ ଆଜୀବନ କାରାଦଣ୍ଡର ସମ୍ମୁଖୀନ ହୋଇପାରନ୍ତି।”

ମାତୃତ୍ୱକୁ ନେଇ ଶ୍ରୀ ଶର୍ମା କହିଛନ୍ତି, “ମହିଳାମାନେ ମା’ ହେବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। କାରଣ ବୟସ ବଢ଼ିଲେ ଜଟିଳତା ବଢ଼ିଥାଏ। ମାତୃତ୍ୱ ପାଇଁ ଉପଯୁକ୍ତ ବୟସ ୨୨ବର୍ଷରୁ ୩୦ବର୍ଷ ଅଟେ। ଆମେ କମ ବୟସରେ ମା’ ହେବାକୁ ବିରୋଧ କରୁଛୁ ସତ। କିନ୍ତୁ ମହିଳାମାନଙ୍କୁ ଅଧିକ ସମୟ ଅପେକ୍ଷା କରିବା ଉଚିତ୍ ନୁହେଁ। ଭଗବାନ ଆମ ଶରୀରକୁ ଏପରି ଭାବରେ ସୃଷ୍ଟି କରିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ଉପଯୁକ୍ତ ବୟସ ଅଛି।”

ସମ୍ବନ୍ଧିତ ଖବର