ଓବିସି, ଇଡବ୍ଲୁଏସ୍‌ କୋଟାକୁ ମଞ୍ଜୁରି; ନିଟ୍‌-ପିଜି ମେଡିକାଲ କାଉନ୍‌ସେଲିଂକୁ ମଧ୍ୟ ଅନୁମତି

ଇଡବ୍ଲୁଏସ୍‌ ପାଇଁ ୮ ଲକ୍ଷ ଆୟ ସୀମା ଉପରେ ମାର୍ଚ୍ଚରେ ନିଷ୍ପତ୍ତି

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ୍‌) ପାଇଁ ସଂରକ୍ଷଣ ବ୍ୟବସ୍ଥା ସହିତ ନିଟ୍‌-ପିଜି କାଉନ୍‌ସେଲିଂ-୨୦୨୧କୁ ମଂଜୁରି ପ୍ରଦାନ କରିଛନ୍ତି। ଅଦାଲତ ନିଟ୍‌-ପିଜି ନାମଲେଖାରେ ଓବିସି ସଂରକ୍ଷଣକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହିତ କାଉନ୍‌ସେଲିଂ ତତ୍କାଳ ଆରମ୍ଭ କରିବା ଉଚିତ ବୋଲି କହିଛନ୍ତି। କୋର୍ଟ ଚଳିତ ନାମଲେଖା ପ୍ରକ୍ରିୟାରେ ଇଡବ୍ଲୁଏସ୍‌ ଶ୍ରେଣୀରେ ୮ ଲକ୍ଷ ବାର୍ଷିକ ଆୟ ମାନଦଣ୍ଡକୁ ମଧ୍ୟ କାଏମ ରଖି କାଉନ୍‌ସେଲିଂ ପାଇଁ ଅନୁମତି ଦେଇଛନ୍ତି। ସୁପ୍ରିମ୍‌ କୋର୍ଟ ଇଡବ୍ଲୁଏସ୍‌ରେ ୮ ଲକ୍ଷ ଆୟ ବର୍ଗ ମାମଲା ନେଇ ଆଗକୁ ଶୁଣାଣି କରିବେ ଏବଂ ଏ ସଂକ୍ରାନ୍ତରେ ମାର୍ଚ୍ଚରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ସଂରକ୍ଷଣକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ ରାୟ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ବସ୍ତି ଆଣିଛି।

ସୁପ୍ରିମ୍‌ କୋର୍ଟ କହିଛନ୍ତି, ନିଟ୍‌ ପିଜି, ୟୁଜି ୨୦୨୧ର କାଉନ୍‌ସେଲିଂ ସେହି ଆଧାରରେ ହେବ ଯାହାକି ୨୯ ଜୁଲାଇ ୨୦୨୧ରେ ନୋଟିସ୍‌ରେ ଦର୍ଶାଯାଇଥିଲା। ଅର୍ଥାତ ଓବିସି ବର୍ଗରେ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଇଡବ୍ଲୁଏସ୍‌ ବର୍ଗରେ ଆଶାୟୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ। ଇଡବ୍ଲୁଏସ୍‌ର ମାନଦଣ୍ଡ ମଧ୍ୟ ୨୦୧୯ ଅଫିସ୍‌ ମେମୋରାଣ୍ଡମରେ ଯାହା ଦର୍ଶାଯାଇଥିଲା ତାହା ହିଁ ରହିବ ବୋଲି କୋର୍ଟ କହିଛନ୍ତି। ୨୭ ନଭେମ୍ବରରୁ ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧କୁ ଅନେକ ଥର ସ୍ଥଗିତ ରଖାଯାଇଥିଲା । ଏଥିପାଇଁ ମେଡିକାଲ କଲେଜରେ ନୂଆ ବ୍ୟାଚ୍‌ର ନାମଲେଖା ଅଟକି ଯାଇଥିଲା।

ନିଟ୍‌-ପିଜି ୨୦୨୧ର କାଉନ୍‌ସେଲିଂରେ ହେଉଥିବା ବିଳମ୍ବ ବିରୋଧରେ ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ କରିଆସୁଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟଙ୍କ ରାୟ ସହିତ ଏହି ଆନ୍ଦୋଳନର ପରିସମାପ୍ତି ଘଟିଛି। କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ବଡ଼ ସହରର ସ୍ବାସ୍ଥ୍ୟ ସେବା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର