ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଷୋଡ଼ଶ ଅର୍ଥ ଆୟୋଗଙ୍କ ଟର୍ମସ୍‌ ଅଫ ରେଫରେନ୍ସ (ଟିଓଆର୍‌)କୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଅନୁମୋଦନ ପ୍ରଦାନ କରିଛନ୍ତି। ତେବେ ଆୟୋଗର ଅଧ୍ୟକ୍ଷ, ସଦସ୍ୟଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ। ଟର୍ମସ୍‌ ଅଫ୍ ରେଫରେନ୍ସରେ କ’ଣ ରହିଛି ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ସାଧାରଣତଃ ରିପୋର୍ଟ ଦାଖଲ କରିବା ଲାଗି ଅର୍ଥ ଆୟୋଗ ଦୁଇ ବର୍ଷ ସମୟ ନେଇଥାନ୍ତି। ଷୋଡ଼ଶ ଅର୍ଥ ଆୟୋଗ ୨୦୨୫ ଅକ୍ଟୋବର ୩୧ ସୁଦ୍ଧା ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଷୋଡ଼ଶ ଅର୍ଥ ଆୟୋଗଙ୍କ ଟର୍ମସ୍‌ ଅଫ୍‌ ରେଫରେନ୍ସକୁ ମଞ୍ଜୁର କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଖୁବ୍‌ଶୀଘ୍ର ଆୟୋଗଙ୍କ ସଦସ୍ୟ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅନ୍ୟପକ୍ଷରେ କେଉଁ ଆଧାରରେ ଟିକସ ଅର୍ଥକୁ କେନ୍ଦ୍ର-ରାଜ୍ୟଗୁଡ଼ିକ ଭିତରେ ଭାଗବଣ୍ଟା କରାଯିବ ତାହାର ଫର୍ମୁଲା ଅର୍ଥ ଆୟୋଗ ଜଣାଇବେ। କେବଳ ସେତିକି ନୁହେଁ, ରାଜ୍ୟଗୁଡ଼ିକର ସଂଗଠିତ ପାଣ୍ଠିରେ କେତେ ବୃଦ୍ଧି କରାଯିବ, ଗ୍ରାମ ପଞ୍ଚାୟତ ଓ ବିପର୍ଯ୍ୟୟ ପରିଚାଳନା ଲାଗି ପାଣ୍ଠି ଆବଣ୍ଟନ ଆଦି ବିଷୟରେ ଷୋଡ଼ଶ ଅର୍ଥ ଆୟୋଗ ସୁପାରିସ କରିବେ। ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥ ଆୟୋଗଙ୍କ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Advertisment

ବତ୍ତର୍ମାନ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ବଳବତ୍ତର ରହିଛି। ଏହା ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରହିବ। ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ୨୦୨୬ ଏପ୍ରିଲରୁ ଲାଗୁ ହୋଇ ୨୦୩୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉଲ୍ଲେଖଥାଉକି, ୨୦୧୭ ନଭେମ୍ବରରେ ଏନ୍ କେ ସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା। କୋଭିଡ୍ ମହାମାରୀ ପ୍ରଭାବ ଲାଗି ଆୟୋଗଙ୍କ କାର୍ଯ୍ୟକାଳକୁ ଛଅ ମାସ ବୃଦ୍ଧି କରାଯିବା ସହ ଟର୍ମସ ଅଫ ରେଫରେନ୍ସକୁ ମଧ୍ୟ ବ୍ୟାପକ କରାଯାଇଥିଲା। ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୧ ପାଇଁ ଗୋଟିଏ ରିପୋର୍ଟ ଏବଂ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଇଁ ଚୂଡ଼ାନ୍ତ ରିପୋର୍ଟ ଭଳି ଦୁଇଟି ରିପୋର୍ଟ ଦାଖଲ କରିଥିଲେ।