୧୨-୧୭ ବର୍ଷ ପିଲାଙ୍କ ପାଇଁ କୋଭଭାକ୍ସ ଟିକାକୁ ଡିସିଜିଆଇର ମଂଜୁରି

ନୂଆଦିଲ୍ଲୀ : ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌ ପ୍ରତିରୋଧକ ଟିକା ‘କୋଭଭାକ୍ସ’ର ଜରୁରୀ ବ୍ୟବହାର ପାଇଁ ଆଜି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଂଜୁରି ଦେଇଛନ୍ତି। ଏହି ଟିକାକୁ ୧୨ରୁ ୧୭ ବର୍ଷର ପିଲାଙ୍କ ପାଇଁ ବିକଶିତ କରାଯାଇଛି ଏବଂ ଆଜି ଏହି ବୟସ ବର୍ଗର ପିଲାଙ୍କ ପାଇଁ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ମିଳିଛି। ଦେଶରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଉପଲବ୍ଧ ହେଉଥିବା କରୋନା ପ୍ରତିରୋଧକ ଟିକା ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଟିକା ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ କୋଭଭାକ୍ସକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ଡିସିଜିଆଇ କହିଛି। ସରକାର ଆଜି ପର୍ଯ୍ୟନ୍ତ ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଟିକା ପ୍ରଦାନ କରାଯିବା ନିଷ୍ପତ୍ତି ନେଇନାହାନ୍ତି। ଦେଶରେ ୨୭୦୭ ଜଣ ପିଲାଙ୍କ କ୍ଷେତ୍ରରେ କୋଭଭାକ୍ସର ନୈଦାନିକ ପରୀକ୍ଷଣ ହୋଇଥିଲା ଏବଂ ଏହା ୯୦ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ସିରମ୍‌ ପକ୍ଷରୁ କୁହାଯାଇଛି ।

ଏବେ ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକାକରଣ ନିମନ୍ତେ ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାର ଉପଯୋଗ କରାଯାଉଛି । ଡିସିଜିଆଇ ପ୍ରଥମେ ଜାଇକୋଭ-ଡି ଟିକାକୁ ୧୨ ବର୍ଷର ପିଲାଙ୍କ ପାଇଁ ଜରୁରୀ ବ୍ୟବହାର ନିମନ୍ତେ ମଂଜୁରି ଦେଇଥିଲେ।

ସମ୍ବନ୍ଧିତ ଖବର