ନୂଆଦିଲ୍ଲୀ : ଆଜି ପାଟନାରେ ବିରୋଧୀ ନେତାଙ୍କ ବୈଠକ ଅଛି। ବୈଠକର ଠିକ୍ ଦିନକ ପୂର୍ବରୁ ଆପ୍ ଆଜି କଂଗ୍ରେସ ଦଳକୁ ଧମକ ଦେଇଛି। ଆପ୍ ସୂତ୍ରରୁ ଜଣାପଡ଼ିଛି ଯେ ଯଦି କଂଗ୍ରେସ କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଦିଲ୍ଲୀ ସରକାରକୁ ସମର୍ଥନ ନକରିବ ତେବେ ଆପ୍ ବିରୋଧୀ ଦଳମାନଙ୍କ ବୈଠକକୁ ବର୍ଜନ କରିବ।
ଆଜି ବୈଠକରେ ଦିଲ୍ଲୀ ଅଧ୍ୟାଦେଶ ଉପରେ ଗୁରୁତ୍ବ ଦେବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀ ନେତାମାନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଆପ୍ ପକ୍ଷରୁ କଂଗ୍ରେସ ପାଖରେ ଏଭଳି ସର୍ତ୍ତ ରଖାଯାଇଥିବା ଜଣାପଡ଼ିଛି। କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇନି। ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ବିରୋଧୀ ନେତାଙ୍କ ସମର୍ଥନ ପାଇଁ କେଜ୍ରିୱାଲ ଉଦ୍ୟମ ଜାରି ରଖିଛନ୍ତି। ଗତ କିଛିଦିନ ତଳେ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଉକ୍ତ ପ୍ରସଙ୍ଗରେ କଂଗ୍ରେସ ଏହାର ମତ ସ୍ପଷ୍ଟ ରଖିବା ଉଚିତ। ବିରୋଧୀ ବୈଠକରେ ପ୍ରଥମ ପ୍ରସଙ୍ଗ ଭାବେ ଅଧ୍ୟାଦେଶ ଉପରେ ଆଲୋଚନା ପାଇଁ ସେ ଗୁରୁତ୍ବାରୋପ କରିଥିଲେ।