୧୨୨ ବର୍ଷର ରେକର୍ଡ କାଟିଲା ଏପ୍ରିଲ ମାସର ଗରମ

ନୂଆଦିଲ୍ଲୀ : ମାର୍ଚ୍ଚ ମାସରେ ଗରମ  ୧୨୧ ବର୍ଷର ରେକର୍ଡ ଭାଙ୍ଗିବା ପରେ ଏପ୍ରିଲର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଚଳିତ ଏପ୍ରିଲରେ ମଧ୍ୟ ଭାରତ ଓ ଉତ୍ତର-ପୂର୍ବ ଭାରତରେ ହୋଇଥିବା ଗରମ ବିଗତ ୧୨୨ ବର୍ଷରେ ସର୍ବାଧିକ ରହିଛି । ଏସବୁ ଅଂଚଳରେ ହାରାହାରି ସର୍ବାଧିକ ତାପମାତ୍ରା ୩୭.୭୮ ଡିଗ୍ରୀ ସେଲସିୟସ ଓ ୩୫.୯ ଡିଗ୍ରୀ ସେଲସିୟସ ରହିଛି ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆଇଏମଡି ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦେଶର ଉତ୍ତର-ପୂର୍ବ, କେନ୍ଦ୍ରୀୟ ଓ ପଶ୍ଚିମଭାଗରେ ମେ ମାସରେ ବି ଗରମରୁ ନିସ୍ତାର ମିଳିବ ନାହିଁ । ସର୍ବଭାରତୀୟ ସ୍ତରରେ ଚଳିତ ଏପ୍ରିଲ ମାସରେ ହାରାହାରି ତାପମାତ୍ରା ୩୫.୦୫ ଡିଗ୍ରୀ ସେଲସିୟସ ଥିଲା, ଯାହାକି ୧୨୨ ବର୍ଷରେ ୪ର୍ଥ ସର୍ବାଧିକ ।

ବିଭିନ୍ନ କାରଣରୁ ଏବର୍ଷର ଏପ୍ରିଲ ମାସ ଗରମ ଥିଲା । ପ୍ରଥମ କାରଣ ହେଉଛି ବର୍ଷାର ଅଭାବ । ଏହି ମାସରେ କାଁ ଭାଁ ବର୍ଷା ହୋଇଥିଲା । ସେହିପରି ଉତ୍ତର-ପଶ୍ଚିମ ଦିଗ ପାକିସ୍ତାନର  ବେଲୁଚିସ୍ତାନ ଅଂଚଳରୁ ଗରମ ହାଓ୍ବା ଭାରତକୁ ପ୍ରଭାବିତ ହେଉଥିଲା । ପୁଣି ଏପ୍ରିଲ ମାସରେ ଉତ୍ତର-ପୂର୍ବ ଭାରତରେ ହେଉଥିବା ପ୍ରାକ-ମୌସୁମୀ ବର୍ଷା ଏବର୍ଷ କମ ହୋଇଛି । ଏହି କାରଣରୁ ତାପମାତ୍ରା ବଢିଛି ।

 

 

ସମ୍ବନ୍ଧିତ ଖବର