ଜେରୁଜେଲମ୍‌ ନିଷ୍ପତ୍ତିର ପ୍ରତ୍ୟାହାର ନିମନ୍ତେ ଆରବ ବୈଦେଶିକ ମନ୍ତ୍ରୀଙ୍କ ଦାବି

କାଇରୋ: ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କରିବା ନିଷ୍ପତ୍ତିକୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ରବିବାର ଦିନ ଆରବ ବୈଦେଶିକ ମନ୍ତ୍ରିମାନେ ଦାବି କରିଛନ୍ତି। ଏହାକୁ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି।

ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ନିନ୍ଦା କରି ଜାତିସଂଘର ନିରାପତ୍ତା ପରିଷଦ୍‌ ଏକ ପ୍ରସ୍ତାବନା ଗ୍ରହଣ କରୁ ବୋଲି ମନ୍ତ୍ରୀମାନେ କହିଛନ୍ତି। କିନ୍ତୁ, ଏହା ଉପରେ ଓ୍ଵାସିଂଟନ୍‌ ଭିଟୋ ପ୍ରୟୋଗ କରି ପାରେ ବୋଲି ସେମାନେ ସ୍ୱୀକାର କରିଛନ୍ତି।

ଯଦି ଆମେରିକା ଏହି ପ୍ରସ୍ତାବନା ଉପରେ ଭିଟୋ ପ୍ରୟୋଗ କରେ, ଆରବ ଦେଶ ସବୁ ଜାତିସଂଘ ସାଧାରଣ ସଭାରେ ସେହି ଭଳି ଅନ୍ୟ ଏକ ପ୍ରସ୍ତାବନା ଆଗତ କରିବ ବୋଲି ପାଲେଷ୍ଟାଇନ୍‌ର ବୈଦେଶିକ ମନ୍ତ୍ରୀ ରିୟାଦ୍‌ ଅଲ୍‌-ମଲିକି କାଇରୋ ଠାରେ ଏକ ରାତି ଅଧିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜରୁରୀ ବୈଠକରେ ଏକ ଦୁଇ ପୃଷ୍ଠା ବିଶିଷ୍ଟ ପ୍ରସ୍ତାବନା ଗ୍ରହଣ କରାଯାଇଥିଲା। ଶନିବାର ରାତିରେ ଆହୂତ ଏହି ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଆମେରିକାର ଉତ୍ପାଦ ବର୍ଜ୍ଜନ କରିବା କିଂବା ଆମେରିକାର ସହ କରାଯାଇଥିବା ବିଭିନ୍ନ ଚୁକ୍ତିକୁ ଅସମ୍ମାନ କରିବା ଭଳି ନିଷ୍ପତ୍ତି ମଧ୍ୟ ନିଆ ଯାଇନାହିଁ।

ମାସେ ମଧ୍ୟରେ ଆରବ ବୈଦେଶିକ ମନ୍ତ୍ରୀମାନେ ପୁଣି ଏକ ବୈଠକରେ ବସିବେ ବୋଲି ପ୍ରସ୍ତାବନାରେ ଉଲ୍ଲେଖ କରାଯାଇଛି। ଜେରୁଜେଲମ୍‌ ପ୍ରସଙ୍ଗ ଆଲୋଚନା କରିବା ପାଇଁ ଜୋର୍ଡାନ୍‌ ଠାରେ ଏକ ଜରୁରୀ ଆରବ ଶିଖର ବୈଠକ ଅନୁଷ୍ଠିତ ହେବ। ଆରବ କୂଟନୀତିଜ୍ଞମାନେ କହୁଛନ୍ତି କି, ଆମେରିକା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶ କେତେକ ଆରବ ଲିଗ୍‌ ସଦସ୍ୟମାନେ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର