ନୂଆଦିଲ୍ଲୀ: ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣାକୁ ମାସେ ପୂରିବାକୁ ଯାଉଛି | ଆଉ ଏହାକୁ ନେଇ ସିବିଆଇ ତଦନ୍ତ ଜାରି ରହିଥିବାବେଳେ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଅନିଲ କୁମାର ମିଶ୍ରାଙ୍କୁ ଦକ୍ଷିଣ ପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଦାୟିତ୍ୱ ଦେଇଛି | ସେହିପରି ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲାହଙ୍କାଠାରେ ଥିବା ରେଳ ଚକ କାରଖାନାର ମହାପ୍ରବନ୍ଧକ କରାଯାଇଛି। ଉଲ୍ଲେଖ ଥାଉ କି ୧୯୮୫ ବ୍ୟାଚ୍ର ଭାରତୀୟ ରେଳ ଟ୍ରାଫିକ ସେବା(ଆଇଆରଟିଏସ୍) ଅଧିକାରୀ ଅର୍ଚ୍ଚନା ଯୋଶୀ ୨୦୨୧ରେ ଦକ୍ଷିଣ ପୂର୍ବ ରେଳବାଇ(ଏସ୍ଇଆର)ର ମହାପ୍ରବନ୍ଧକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
ଏହା ପୂର୍ବରୁ ସେ ରେଳ ମନ୍ତ୍ରଣାଳୟର ପର୍ଯ୍ୟଟନ ଏବଂ କ୍ୟାଟରିଂ ବିଭାଗରେ କାର୍ଯ୍ୟରତ ଥିଲେ। ଏହାପୂର୍ବରୁ ଶ୍ରୀମତୀ ଯୋଶୀ ରେଳବାଇର ବିଭିନ୍ନ ଜୋନ୍ ଯେପରିକି ଉତ୍ତର ରେଳବାଇ, ଉତ୍ତର ପଶ୍ଚିମ ରେଳବାଇ, ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ଉତ୍ତର ପୂର୍ବାଞ୍ଚଳ ରେଳବାଇରେ ଅତିରିକ୍ତ ଜେନେରାଲ୍ ମ୍ୟାନେଜର, ମୁଖ୍ୟ ବାଣିଜ୍ୟ ପରିଚାଳକ, ମୁଖ୍ୟ ଅପରେସନ୍ ମ୍ୟାନେଜର, ସିନିୟର ଡେପୁଟି ଜେନେରାଲ୍ ମ୍ୟାନେଜର ଆଦି ପଦରେ କାର୍ଯ୍ୟ କରିଥିଲେ | ଅନ୍ୟପଟେ ଅନୀଲ କୁମାର ମିଶ୍ରା ଭାରତୀୟ ରେଳ ସେବା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ସର ଜଣେ ଅଧିକାରୀ।
ସେହିପରି ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ତଦନ୍ତ କରୁଥିବାବେଳେ ଏହାର ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ବିପ୍ଳବ କୁମାର ଚୌଧୁରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସିବିଆଇରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ଚୌଧୁରୀଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ବୃଦ୍ଧି କରାଯାଇଛି। ଅନ୍ୟପଟେ ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ରିପୋର୍ଟ ରେଳବାଇ ସୁରକ୍ଷା କମିସନର ରେଳ ବୋର୍ଡ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି। ତେବେ ଏହି ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଥିଲା |