ଦିଲ୍ଲୀ, ରାମପୁର, ଗୁଜରାଟ: ମୁସଲିମ ଭୋଟରଙ୍କ ମନ ବଦଳୁଛି କି?

ନୂଆଦିଲ୍ଲୀ : ମୁସଲମାନ ବିଜେପିର ପାରମ୍ପରିକ ଭୋଟର୍‌ ନୁହନ୍ତି। କିନ୍ତୁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ଦେଖିବାକୁ ମିଳିଲା ଯେ ବିଜେପି ପ୍ରାର୍ଥୀ ମୁସଲମାନ ବହୁଳ ଅଞ୍ଚଳରେ ଜିତିଛନ୍ତି। ଗୁଜରାଟର କେତେକ ମୁସଲମାନ ବହୁଳ ଅଞ୍ଚଳରେ ଦଳ ବିଜୟ ପତାକା ଉଡ଼ାଇଛି। ଉତ୍ତରପ୍ରଦେଶର ରାମପୁରରେ ଇତିହାସ ସୃଷ୍ଟି ହୋଇଛି। ତେବେ ମୁସଲମାନ ଇଲାକାରେ ବିଜେପି ଜିତିବାର କ’ଣ ହୋଇପାରେ କାରଣ? ଆପ୍, କଂଗ୍ରେସ ଆଉ ଏଆଇଏମ୍‌ଆଇଏମ୍ କାଟୁଛନ୍ତି କି ମୁସଲମାନ ଭୋଟ?

ଗୁଜରାଟର ଦରିଆପୁରର ଉଦାହରଣ ନିଆଯାଉ। ଏହି ଆସନରୁ କଂଗ୍ରେସ ୧୦ ବର୍ଷ ହେଲା ଜିତି ଆସୁଥିଲା। ଏହି ଆସନରୁ କଂଗ୍ରେସ ଗୟାସୁଦ୍ଦିନ ଶେଖଙ୍କୁ ଠିଆ କରିଥିଲା। କିନ୍ତୁ ସେ ବିଜେପିର କୌଶିକ ଜୈନଙ୍କଠାରୁ ହାରିଗଲେ। ଗୁଜରାଟର ଅତି କମ୍‌ରେ ୧୬ ମୁସଲମାନବହୁଳ ଅଞ୍ଚଳରେ ଆମ୍‌ ଆଦ୍‌ମୀ ପାର୍ଟି ବି ନିଜର ପ୍ରାର୍ଥୀ ଦେଇଥିଲା। ଆପ୍ ସହ ଅସଦୁଦ୍ଦିନ ଅୱେସିଙ୍କ ଏଆଇଏମ୍‌ଆଇଏମ୍‌ ମୁସଲମାନଙ୍କ ଭୋଟକୁ ବିଭାଜିତ କରିଦେଲେ। ତେଣୁ ପାରମ୍ପରିକଭାବେ ଯେଉଁ ଭୋଟ କଂଗ୍ରେସକୁ ଯାଉଥିଲା ତାହା ବାଣ୍ଟିହୋଇ ତିନି ଦଳକୁ ଗଲା- ଆପ୍, ଏଆଇଏମ୍‌ଆଇଏମ୍ ଓ କଂଗ୍ରେସ। ଏଆଇଏମ୍‌ଆଇଏମ୍ ସେହିସବୁ ଅଞ୍ଚଳରେ ପ୍ରାର୍ଥୀ ଦେଇଛି ଯେଉଁଠାରେ ମୁସଲମାନ ଭୋଟ ଅଧିକ ଅଛି। ଏଥିରେ ଆଉ ଯାହା ହେଉ ବା ନ ହେଉ ମୁସଲମାନ ଭୋଟ କଟିବା ଯୋଗୁ ବିଜେପିର ଲାଭ ହେଲା।

ମୁସଲମାନଙ୍କର ଶକ୍ତି ହେଲା ସେମାନଙ୍କର ଏକତା। ବର୍ତ୍ତମାନ ସେମାନଙ୍କ ପାଖରେ ବିକଳ୍ପ ଅଧିକ ରହିଲା କିନ୍ତୁ ଶକ୍ତି କମିଗଲା।  ଆଗରୁ ମୁସଲମାନମାନେ ଏକାଠି ହୋଇ ଗୋଟିଏ ଦଳ (କଂଗ୍ରେସ)କୁ ଭୋଟ ଦେଉଥିଲେ। ବର୍ତ୍ତମାନ ସେମାନଙ୍କ ଭୋଟ ତିନି ତିନିଟି ଦଳକୁ ଚାଲିଗଲା। ଅପରପକ୍ଷେ ହିନ୍ଦୁ ଓ ଦଳିତ ଭୋଟକୁ ଏକାଠି କରିବାରେ ବିଜେପି ଅନେକାଂଶରେ ସଫଳ ହୋଇପାରିଛି। ତେଣୁ ଦିଲ୍ଲୀ, ଗୁଜରାଟ ଓ ଉତ୍ତରପ୍ରଦେଶର ରାମପୁରରେ ମୁସଲମାନବହୁଳ ଅଞ୍ଚଳରେ ବି ବିଜେପି ଯଦି ଜିତିବାରେ ସଫଳ ହୋଇଛି ତେବେ ଏହା ହିଁ ତା’ର ମୁଖ୍ୟ କାରଣ। ବର୍ତ୍ତମାନ ମୁସଲମାନ ଭୋଟରଙ୍କ ପାଇଁ ଆଉ ଏକ କାରଣ ହେଉଛି ସେମାନେ କୌଣସି ଦଳକୁ ଭରସା କରିପାରୁ ନାହାନ୍ତି। କାରଣ କଂଗ୍ରେସ ହେଉ ବା ସମାଜବାଦୀ ପାର୍ଟି ବା ଆପ୍ ସମସ୍ତେ ନରମ ହିନ୍ଦୁତ୍ବ ପ୍ରସଙ୍ଗ ଉଠାଉଛନ୍ତି। କାରଣ ସମସ୍ତେ ଜାଣିଲେଣି ଯେ ହିନ୍ଦୁ ଭୋଟକୁ ଛାଡ଼ି କେବଳ ମୁସଲମାନ ଭୋଟକୁ ନେଇ ନିର୍ବାଚନ ଜିତି ହେବ ନାହିଁ। ତା’ଦ୍ବାରା ଅଳ୍ପ କିଛି ଅଞ୍ଚଳରେ ନିର୍ବାଚନ ଜିତିଲେ ବି ସେଥିରେ ସରକାର ଗଢ଼ିହେବ ନାହିଁ। ତେଣୁ ମୁସଲମାନ ଭୋଟରମାନେ କୌଣସି ଗୋଟିଏ ଦଳ ଉପରେ ଭରସା କରି ନ ପାରି ବିଭିନ୍ନ ଦଳକୁ ଭୋଟ ଦେଉଛନ୍ତି। ସେମାନଙ୍କ ଭୋଟ ବିଭାଜିତ ହୋଇଯିବା ଯୋଗୁ ବିଜେପି ପକ୍ଷେ ଜିତିବା ସହଜ ହେଉଛି।

ସମ୍ବନ୍ଧିତ ଖବର