‘ଆଉ କେହି ଦକ୍ଷ ଅଫିସର ନାହାନ୍ତି କି?’ ସେପ୍ଟେମ୍ବର ୧୫ ଯାଏ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ାଇଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ଏସ୍କେ ମିଶ୍ରଙ୍କ କାର୍ଯ୍ୟକାଳ ପୂର୍ବର ଡେଡ୍ଲାଇନ୍ ଜୁଲାଇ ୩୧ ବଦଳରେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସୁପ୍ରିମ୍କୋର୍ଟ। କେନ୍ଦ୍ର ସରକାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ଯାଏ ବୃଦ୍ଧି କରିବାକୁ ଆବେଦନ କରିଥିଲେ। ପୂର୍ବରୁ କୋର୍ଟ କହିଥିଲେ ତଦନ୍ତ ସଂସ୍ଥା ମୁଖ୍ୟଙ୍କ କାର୍ଯ୍ୟକାଳ ଦ୍ବିତୀୟ ଓ ତୃତୀୟ ଥର ବୃଦ୍ଧି କରିବା ବେଆଇନ। ତେବେ କେନ୍ଦ୍ର ସରକାର ‘ଅସ୍ବାଭାବିକ ପରିସ୍ଥିତି’ ଓ ଜରୁରୀ ଆବଶ୍ୟକତା ଦର୍ଶାଇବାରୁ ଆଜି କୋର୍ଟ ଟିକିଏ ନରମ ଭାବ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାର ଯୁକ୍ତି କରିଥିଲେ ଯେ, କେତେକ ପଡ଼ୋଶୀ ଦେଶ ଚାହୁଛନ୍ତି ଭାରତକୁ ଏଫ୍ଏଟିଏଫ୍ର ‘ଗ୍ରେ ଲିଷ୍ଟ’ରେ ପକାଇବା ପାଇଁ। ତେଣୁ ଇଡି ମୁଖ୍ୟ ଆଉ କିଛିଦିନ ରହିବାର ଜରୁରୀ ଆବଶ୍ୟକତା ରହିଛି।
କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ବିଶ୍ବ ଟେରର ଫଣ୍ଡିଂ ୱାଚ୍ଡଗ୍ ଏଫ୍ଏଟିଏଫ୍ (ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ)ର ସମୀକ୍ଷା ବୈଠକ ହେବାକୁ ଥିବାରୁ ମିଶ୍ରଙ୍କ ରହିବା ଜରୁରୀ ଏବଂ ମିଶ୍ରଙ୍କ ପରିସ୍ଥିତି ଅନ୍ୟମାନଙ୍କଠାରୁ ଅଲଗା। ଏହାପରେ ଜଷ୍ଟିସ୍ ବିଆର୍ ଗୱାଇ, ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ ପଚାରିଥିଲେ, ଆଉ ସମସ୍ତ ଅଫିସର କ’ଣ ଅଦକ୍ଷ? କେବଳ ଜଣେ ଅଫିସର ପାରିବେ? ଉତ୍ତରରେ ସଲିସିଟର ଜେନେରାଲ କହିଥିଲେ, କେହି ଅଦକ୍ଷ ବା କେହି ଅତ୍ୟାବଶ୍ୟକ ନୁହନ୍ତି। ପ୍ରତ୍ୟେକ ସଂସ୍ଥାରେ ନେତୃତ୍ବ ଥାଏ କିନ୍ତୁ ତା’ର ନିରବଚ୍ଛିନ୍ନତା ରହିବା ଉଚିତ। ମିଶ୍ରଙ୍କ ସମ୍ପ୍ରସାରଣ ବିରୋଧରେ ଆବେଦନକାରୀଙ୍କ ତରଫରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ, ଏଫ୍ଏଟିଏଫ୍ ମନିଲଣ୍ଡରିଂ ସମେତ ୪୦ଟି ବିଭାଗ ଉପରେ ସମୀକ୍ଷା କରିବ, ଯାହା ୨୦୨୪ ଯାଏ ଚାଲିବ। କେନ୍ଦ୍ର ସରକାର କ’ଣ ୨୦୨୪ ଯାଏ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଚାଲିଥିବେ? ସୂଚନାଯୋଗ୍ୟ, ୨୦୧୮ ନଭେମ୍ବରରେ ମିଶ୍ରଙ୍କୁ ଇଡି ମୁଖ୍ୟ ଦାୟିତ୍ବ ଦିଆଯାଇଥିଲା। ୨ ବର୍ଷ ପରେ ୨୦୨୦ରେ ୬୦ ବର୍ଷ ବୟସରେ ତାଙ୍କର ଅବସର ନେବାର ଥିଲା। କିନ୍ତୁ ସେତେବେଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଗଲା। ତା’ପରେ ଆଉ ଦୁଇଥର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇ ସାରିଲାଣି।