କୋଲକାତା: ବହୁ ଚର୍ଚ୍ଚିତ କୋଲକାତା ଆର୍ଜି କର ମେଡିକାଲ୍ କଲେଜର ଜୁନିୟର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ କୋଲକାତାର ଏକ କୋର୍ଟ ଚାର୍ଜଫ୍ରେମ୍ କରିଛନ୍ତି। ଏହି ମାମଲାର ଦୈନିକ ଶୁଣାଣି ନଭେମ୍ବର ୧୧ରୁ ହେବ ବୋଲି ସିଆଲଦା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିଛି। ତାକୁ ରାଜ୍ୟ ସରକାର ଏହି ମାମଲାରେ ଫସାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛି।
ସୂଚନାଯୋଗ୍ୟ, ୮୭ ଦିନ ପୂର୍ବେ ହସ୍ପିଟାଲ୍ର ଏକ ପ୍ରକୋଷ୍ଠରେ ମହିଳା ଜୁନିୟର ଡାକ୍ତରଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅଗଷ୍ଟ ୧୦ରେ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୬୪, ୬୬ ଓ ୧୦୩ରେ ମାମଲା ରୁଜୁ ହୋଇଥିଲା। ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ହୋଇଥିଲା।