ନୂଆଦିଲ୍ଲୀ: ଆର୍ଜି କର ମେଡିକାଲ୍ କଲେଜରେ ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଞ୍ଜୟ ରାୟକୁ ସିବିଆଇ ଅଦାଲତ ‘ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ’ରେ ଦଣ୍ଡିତ କରିଛନ୍ତି। ତେବେ ଏହି ଦଣ୍ଡବିଧାନ ଯଥେଷ୍ଟ ନୁହେଁ, ବରଂ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ବୋଲି ପୀଡ଼ିତାଙ୍କ ପରିବାର, ଡାକ୍ତର ସଂଘ, ପଶ୍ଚିମବଙ୍ଗ ରାଜ୍ୟ ସରକାର ଏବଂ ରାଜ୍ୟ ବିଜେପି ପକ୍ଷରୁ ଦାବି ହେଉଛି। ଏହି ପରିପ୍ରେକ୍ଷୀରେ, ମାମଲାକୁ ନିଜ ଆଡ଼ୁ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ଗ୍ରହଣ କରିଛନ୍ତି ଏବଂ ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ପିତାମାତାଙ୍କ ଦ୍ବାରା ମାମଲାର ପୁନଃ ତଦନ୍ତ ଦାବି ଆବେଦନକୁ ମଧ୍ୟ ଗ୍ରହଣ କରିବେ।
ମମତା ସରକାର ପ୍ରମାଣରେ ହେରଫେର କରିଛି: ପୀଡ଼ିତାଙ୍କ ପିତା
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସି ସରକାର ମଧ୍ୟ ଦୋଷୀ ସଂଜୟ ରାୟ ପାଇଁ ମୃତ୍ୟୁଦଣ୍ଡ ଦାବି କରି ହାଇକୋର୍ଟ ଯାଇଛନ୍ତି। ମାମଲାରେ ସିଅଲଦା କୋର୍ଟ ଦେଇଥିବା ରାୟରେ ମମତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରି ସରକାର କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି। ଏଡଭୋକେଟ୍ ଜେନେରାଲ କିଶୋର ଦତ୍ତ ଏହି ମାମଲାରେ ସିଅଲଦା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିବା ବେଳେ ହାଇକୋର୍ଟ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ଉଲ୍ଳେଖଯୋଗ୍ୟ, ମମତା ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ ଏହି ମାମଲା ବିରଳରୁ ବିରଳତମ ନୁହେଁ ବୋଲି ବିଚାରପତି ଯେଉଁ ରାୟ ଶୁଣାଇଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ। ତେବେ ମୁଁ ବୁଝିଛି ଯେ ମାମଲା ବିରଳତମ ଏବଂ ଆମେ ଏହି ମାମଲାରେ ମୃତ୍ୟୁଦଣ୍ଡ ଦାବି କରୁଛୁ।
ଅନ୍ୟପକ୍ଷେ ପୀଡ଼ିତାଙ୍କ ବାପା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଆମେ ଅର୍ଡର କପି ପାଇବାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ନିଷ୍ପତ୍ତି ନେବୁ। ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି କରିପାରିବେନି। ପୀଡ଼ିତାଙ୍କ ବାପା କହିଛନ୍ତି, ସିବିଆଇ ସଠିକ୍ ପ୍ରମାଣ ଦାଖଲ କରିପାରିନି ଏବଂ ମମତା ବାନାର୍ଜୀଙ୍କ ସରକାର ମଧ୍ୟ ପ୍ରମାଣରେ ହେରଫେର କରିଛି। ତତ୍କାଳୀନ ପୁଲିସ କମିସନର ଏବଂ ଅନ୍ୟମାନେ ପ୍ରମାଣରେ ହେରଫେର କରିଛନ୍ତି। ମମତା ତଦନ୍ତ ଆରମ୍ଭରୁ କାହିଁକି ବେପରୁଆ କାର୍ଯ୍ୟ କରିଥିଲେ ବୋଲି ପୀଡ଼ିତାଙ୍କ ବାପା ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)