ନୂଆଦିଲ୍ଲୀ : ନବସୃଜନ ସଫଳତାକୁ ନେଇ ପ୍ରତିଷ୍ଠାନଗୁଡ଼ିକର ଅଟଳ ରାଙ୍କିଂ (ଏଆର୍ଆଇଆଇଏ ରାଙ୍କିଂ) -୨୦୨୧ ଆଜି ପ୍ରକାଶ ପାଇଛି। ଶିକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ନବସୃଜନ କେନ୍ଦ୍ର ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର ‘ଭର୍ଚୁଆଲ୍ ମୋଡ୍’ରେ ରୢାଙ୍କିଂକୁ ଉନ୍ମୋଚନ କରିଛନ୍ତି। ଘୋଷିତ ରୢାଙ୍କିଂରେ ଭୁବନେଶ୍ବରସ୍ଥିତ କିଟ୍କୁ ବିଶେଷ ସଫଳତା ମିଳିଛି। ନବସୃଜନ (ଇନୋଭେସନ୍) କ୍ଷେତ୍ରରେ କିଟ୍ ବିଶ୍ବବିଦ୍ୟାଳୟ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଭାରତରେ ଥିବା ଡିମ୍ଡ ବିଶ୍ବବିଦ୍ୟାଳୟ ଓ ସେଲ୍ଫ ଫାଇନାଇନାନ୍ସ (ଘରୋଇ) ବୈଷୟିକ ବର୍ଗରେ କିଟ୍କୁ ଏହି ସଫଳତା ମିଳିଛି।
କିଟ୍ ମଧ୍ୟ ଗତ ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଥିଲା। ରୢାଙ୍କିଂ ପାଇଁ ୭ଟି ବର୍ଗରେ ୯ଟି ବିଭିନ୍ନ ମାନଦଣ୍ଡକୁ ଆଧାର ଭାବେ ଗ୍ରହଣ କରାଯାଇଥିଲା। କିଟ୍କୁ ବାଦ୍ ଦେଲେ ଓଡ଼ିଶାର ଆଉ କୌଣସି ଶିକ୍ଷାନୁଷ୍ଠାନ ଏହି ବର୍ଗରେ ପ୍ରଥମ ୧୦ ରୢାଙ୍କ ମଧ୍ୟରେ ନାହାନ୍ତି। ଏଥି ପାଇଁ ଦେଶର ୧୪୩୮ ଶିକ୍ଷାନୁଷ୍ଠାନକୁ ବିଚାରକୁ ନିଆଯାଇଥିଲା। ଜାତୀୟ ସ୍ତରର ପ୍ରମୁଖ ଶିକ୍ଷାନୁଷ୍ଠାନ, ବୈଷୟିକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ରାଜ୍ୟ ବିଶ୍ବବିଦ୍ୟାଳୟ, ଡିମ୍ଡ ବିଶ୍ବବିଦ୍ୟାଳୟ (ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ) , ବିଶ୍ବବିଦ୍ୟାଳୟ ଏବଂ ଡିମ୍ଡ ବିଶ୍ବବିଦ୍ୟାଳୟ (ସେଲ୍ଫ ଫାଇନାନ୍ସ/ ଘରୋଇ) , ଘରୋଇ କଲେଜ/ସଂସ୍ଥା (ସେଲ୍ଫ ଫାଇନାନ୍ସ/ଘରୋଇ), କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ଅଣବୈଷୟିକ) ଏବଂ ସାଧାରଣ (ଅଣବୈଷୟିକ) ବର୍ଗ ଅନ୍ତର୍ଗତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ମଧ୍ୟ ରୢାଙ୍କିଂ କରାଯାଇଛି। ଶିକ୍ଷକ ଓ ଅଧ୍ୟାପକମାନଙ୍କ ମଧ୍ୟରେ ନବସୃଜନ, ଉଦ୍ୟୋଗ ବିକାଶ ପ୍ରୟାସ ଭଳି ୯ଟି ସୂଚକାଙ୍କକୁ ଏଥି ପାଇଁ ଆଧାର ଭାବେ ଗ୍ରହଣ କରାଯାଇଥିଲା।