ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଜାତିସଂଘରେ ଭାରତର ସ୍ଥା‌ୟୀ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଜେନେଭା ସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନରେ ମଧ୍ୟ ବାଗ୍‌ଚି ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଇନ୍ଦ୍ରମଣି ପାଣ୍ଡେଙ୍କ ସ୍ଥାନରେ ବାଗ୍‌ଚି ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ। ଅନ୍ୟପକ୍ଷେ ପାଣ୍ଡେ ନୂଆଦିଲ୍ଲୀ ଫେରି ଆସିବେ। ୧୯୯୫ ବ୍ୟାଚ୍‌ର ଆଇଏଫଏସ ଅଫିସର ବାଗ୍‌ଚି ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ଜଣେ ଅତିରିକ୍ତ ସଚିବ। ଜେନେଭାରେ ସେ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ପରବର୍ତ୍ତୀ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। ଖୁବଶୀଘ୍ର ସେ ତାଙ୍କର ନୂଆ ଦାୟିତ୍ବ ଗ୍ରହଣ କରିବେ। ବାଗ୍‌ଚି ୨୦୨୦ରେ ବିଦେଶ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଭାବେ ଦାୟିତ୍ବ ନେଇଥିଲେ। ସେ ପୂର୍ବ ଲଦାଖ ସୀମା ବିବାଦ, ଭାରତର କୋଭିଡ୍-୧୯ ମୁକାବିଲା ଏବଂ ଜି-୨୦ ଅଧ୍ୟକ୍ଷତା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ତଦାରଖ କରିଥିଲେ ।