କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଭଙ୍ଗାରୁଜା ଘଟଣାକୁ ନେଇ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଡାକ୍ତରମାନଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟ ବାତାବରଣ ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ କୋର୍ଟ କହିଛନ୍ତି ଯେ ଏଭଳି ଘଟଣା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରୁଛି।
ସୁରକ୍ଷା ଦେଇ ନପାରିଲେ ହସ୍ପିଟାଲରୁ ରୋଗୀ ସ୍ଥାନାନ୍ତର କର, ମେଡିକାଲ କଲେଜ ବନ୍ଦ କର
‘ଅପରାଧ ସ୍ଥଳ’ ଠିକ୍ଠାକ୍ ରହିଥିବା ପ୍ରମାଣ ଦିଅ
ଅଦାଲତ ତାଙ୍କ ମନ୍ତବ୍ୟରେ ଦର୍ଶାଇଛନ୍ତି ଯେ, ଡାକ୍ତରଖାନା ଉପରେ ଆକ୍ରମଣକୁ ରୋକିବାରେ ସରକାରୀ କଳ ସମ୍ପୂର୍ଣ୍ଣ ବିଫଳ ହୋଇଛି, ଯାହାଫଳରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ନଷ୍ଟ ହୋଇଛି। ଏଭଳି ଘଟଣା ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ମନୋବଳ ଉପରେ ଗଭୀର ପ୍ରଭାବ ପକାଇବ। ଏପରି ଏକ ପରିବେଶ ସୃଷ୍ଟି କରିବା ଦରକାର ଯାହାଫଳରେ ସ୍ୱାସ୍ଥ୍ୟକର୍ମୀମାନେ ହିଂସା କିମ୍ବା ଧମକକୁ ଭୟ ନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ ସେଥିପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ବିଚାରପତିମାନେ ଆହ୍ୱାନ ଦେଇଛନ୍ତି। ଏତେ ବଡ଼ ଭିଡ଼ ଚଢ଼ଉ କରିବା ସମ୍ପର୍କରେ ପୁଲିସ କାହିଁକି ଅବଗତ ନ ଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
ଯଦି ସୁରକ୍ଷା ଦେଇ ନ ପାରିବ ତେବେ ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ରୋଗୀଙ୍କୁ ସ୍ଥାନାନ୍ତର କରି ଏହାକୁ ବନ୍ଦ କରିଦେବା ଭଲ ବୋଲି କୋର୍ଟ କହିଛନ୍ତି। ଏହା ସହିତ ହସ୍ପିଟାଲର ଯେଉଁଠି ଅପରାଧ ଘଟିଥିଲା ସେହି ସ୍ଥଳ ସୁରକ୍ଷିତ ରହିଛି ବୋଲି ପ୍ରମାଣ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଏଭଳି ବିଶୃଙ୍ଖଳା କଦାପି ବରଦାସ୍ତ ହେବନାହିଁ ବୋଲି କୋର୍ଟ କହିଛନ୍ତି।