୨ ନୁହେଁ ୩ ! ଓଡ଼ିଆ କହିପାରୁଥିବା ଏହି ନେତା ବି ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ

ନୂଆଦିଲ୍ଲୀ: ୩ ଜଣ ଓଡ଼ିଆ କହିପାରୁଥିବା ବ୍ୟକ୍ତି ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି | ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏଭଳି ଜଣେ ନେତା ସାମିଲ ଅଛନ୍ତି ଯିଏ କି ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ କଥା କୁହନ୍ତି | ସେ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା | ଅର୍ଜୁନ ଏଥର ଖୁଣ୍ଟି ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି |

PHOTO-GULF

କଡା ମୁକାବିଲାରେ ଅର୍ଜୁନ ମୁଣ୍ଡା ତାଙ୍କର ପ୍ରତିଦ୍ବନ୍ଦୀ ପ୍ରାର୍ଥୀ କଂଗ୍ରେସର କାଳିଚରଣ ମୁଣ୍ଡାଙ୍କୁ ୧୪୪୫ ଖଣ୍ଡ ଭୋଟ ରେ ହରାଇଛନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅର୍ଜୁନ ମୁଣ୍ଡା ରାଉରକେଲାରେ ମଧ୍ୟ ପାଠ ପଢ଼ିଛନ୍ତି | ଓଡିଶା ପ୍ରତି ତାଙ୍କର ଭଲ ପାଇବା ତାଙ୍କ ଓଡ଼ିଆ ଭାଷାରୁ ସ୍ପଷ୍ଟ ଭାବେ ଜଣାପଡେ | ନିଜର ରାଜନୈତିକ କ୍ୟାରିୟର ସେ ୧୯୯୫ ମସିହାରେ ସେ ଖରସୁଆଁରୁ ଆରମ୍ଭ କରିଥିଲେ | ଖରସୁଆଁ ବିଧାନସଭା ଆସନ ତିନି ଥର ଜିତିଥିଲେ | ସବୁଠାରୁ କମ ବୟସରେ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଅର୍ଜୁନଙ୍କ ନାମରେ ରହିଛି |

୩୫ ବର୍ଷ ବୟସରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ | ଏବେ ଅର୍ଜୁନ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ଚେହେରା | ରାଷ୍ଟ୍ରୀୟ ମହାସଚିବ ଭାବେ ଏବେ ଅବସ୍ଥାପିତ ଥିବା ଅର୍ଜୁନଙ୍କର ଓଡିଶାର ସୁନ୍ଦରଗଡ଼ ଜିଲ୍ଲା ସହ ରହିଛି ଘନିଷ୍ଠ ସମ୍ପର୍କ | କାରଣ ତାଙ୍କ ନିର୍ବାଚନମଣ୍ଡଳୀର ପ୍ରାୟ ଅଂଚଳ ଯେପରିକି ସିମଡେଗା ଓ କୋଲେବୀରା ଓଡିଶା ସୀମାରେ ଅବସ୍ଥିତ | ତେବେ ଏଠାରେ କହିରଖୁଛୁ କେବଳ ଓଡ଼ିଆ ନୁହେଁ ଉତ୍ତର ଓଡ଼ିଶାରେ ବ୍ୟବହାର କରାଯାଉଥିବା ସାନ୍ତାଳୀ,ହୋ ଓ ଓରାନ ଭାଷା ମଧ୍ୟ ଅର୍ଜୁନ କହିପାରନ୍ତି |

ସମ୍ବନ୍ଧିତ ଖବର