ନୂଆଦିଲ୍ଲୀ: ପ୍ରତିରକ୍ଷା ବିଭାଗର ତିନି ସେବା- ସ୍ଥଳ, ବାୟୁ ଓ ନୌସେନା-ରେ ୯,୩୬୨ ଅଧିକାରୀ ଏବଂ ପ୍ରାୟ ୧.୧୩ ଲକ୍ଷ ସୈନିକ, ବିମାନ କର୍ମଚାରୀ ଏବଂ ନାବିକଙ୍କ ଅଭାବ ରହିଛି ବୋଲି ସୋମବାର ଦିନ କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ଜୁନିୟର କମିଶନଡ୍‌ ଅଫିସରଙ୍କ ସମେତ ସେନାର ୭,୪୭୬ ଅଧିକାରୀ ଏବଂ ୯୭,୧୭୭ ସୈନିକଙ୍କ ଅଭାବ ରହିଛି।

Advertisment

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଭଟ୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀ ଅନୁଯାୟୀ, ନୌସେନାରେ ୧,୨୬୫ ଅଧିକାରୀ ଏବଂ ୧୧,୧୬୬ ନାବିକଙ୍କ ଅଭାବ ରହିଛି। ସେହିପରି ଭାରତୀୟ ବାୟୁସେନାରେ ଖାଲି ପଡ଼ିଥିବା ଅଧିକାରୀଙ୍କ ପଦବୀ ସଂଖ୍ୟା ୬୨୧ ଥିବାବେଳେ ବିମାନ କର୍ମଚାରୀଙ୍କ ସଂଖ୍ୟା ୪,୮୫୦ ରହିଛି। ମନ୍ତ୍ରୀ କହିଛନ୍ତି, ସଶସ୍ତ୍ର ବାହିନୀରେ ଖାଲି ଥିବା ପଦବୀଗୁଡ଼ିକୁ ଏକ ବ୍ୟବସ୍ଥିତ ଏବଂ ସମୟସୀମା ମଧ୍ୟରେ ପୂରଣ କରିବା ସରକାରଙ୍କ ପକ୍ଷରୁ ପ୍ରୟାସ ଚାଲିଛି, ଯାହାକି ଏକ ନିରନ୍ତର ପ୍ରକ୍ରିୟା।

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଭଟ୍ଟ କହିଛନ୍ତି ଯେ ବର୍ତ୍ତମାନ ୫୩,୫୬୯ ଅଧିକାରୀ ଏବଂ ୧୧,୩୫,୭୯୯ ସୈନିକ ଭାରତୀୟ ସେନାର ସେବା କରୁଛନ୍ତି। ନୌସେନାରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ସଂଖ୍ୟା ୧୧,୧୦୦ ହୋଇଥିବା ବେଳେ ନାବିକଙ୍କ ସଂଖ୍ୟା ୬୩,୫୧୫ ବୋଲି ସେ କହିଛନ୍ତି। ଭାରତୀୟ ବାୟୁସେନାରେ ଅଧିକାରୀଙ୍କ ସଂଖ୍ୟା ୧୨,୦୪୮ ଏବଂ ବିମାନ କର୍ମଚାରୀଙ୍କ ସଂଖ୍ୟା ୧,୩୮,୭୯୨ ରହିଛି।