ଆମେରିକାସ୍ଥିତ ଇହୁଦୀ ପ୍ରାର୍ଥନା ଗୃହରେ ମଧ୍ୟସ୍ଥ ପଣବନ୍ଦୀ; ପାକିସ୍ତାନୀ ଆତଙ୍କବାଦୀକୁ ଛାଡ଼ିବାକୁ ଦାବି କରୁଛି ସଶସ୍ତ୍ର ବ୍ୟକ୍ତି

କଲିଭାଇଲ୍‌: ଟେକ୍ସାସ୍‌ସ୍ଥିତ ଇହୁଦୀ ପ୍ରାର୍ଥନା ସଭା ଗୃହରେ ପଣବନ୍ଦୀ ଥିବା ବ୍ୟକ୍ତିଙ୍କୁ ମୁକୁଳାଇବା ପାଇଁ ଶନିବାର ଦିନ ଆଲୋଚନା କରିବାକୁ ଯାଇଥିବା ମଧ୍ୟସ୍ଥଙ୍କୁ ପଣବନ୍ଦୀ ରଖି ଜଣେ ଅସ୍ତ୍ରଧାରୀ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକୁଳାଇବାକୁ ଦାବି କରୁଛନ୍ତି ପୁଲିସ ଓ ଗଣମାଧ୍ୟମ କହିଛନ୍ତି।

ପୁଲିସ କହିବା ଅନୁସାରେ, ପ୍ରାୟ ୮ ଘଣ୍ଟା ପରେ ପଣବନ୍ଦୀମାନଙ୍କ ମଧ୍ୟରୁ ଜଣକୁ ସନ୍ଧ୍ୟା ୫ଟାରେ ଛଡ଼ାଯାଇଛି। କିନ୍ତୁ, ସଭାଗୃହ ମଧ୍ୟରେ କେତେଜଣ ପଣବନ୍ଦୀ ଅଛନ୍ତି ତାହା ଜଣାପଡ଼ିନାହିଁ। ମୁକୁଳି ଆସିଥିବା ବ୍ୟକ୍ତିଜଣଙ୍କୁ ଖୁବ୍‌ ଶୀଘ୍ର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଅନ୍ୟସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ଜଣେ ଇହୁଦୀ ପ୍ରବାଚକ ଏବଂ ଅନ୍ୟୂନ ଆଉ ଦୁଇଜଣଙ୍କୁ ପଣବନ୍ଦୀ କରି ରଖାଯାଇଛି। ଏହି ଘଟଣାରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଇହୁଦୀ ସଙ୍ଗଠନ ଏବଂ ଇଜ୍ରାଏଲ୍‌ ସରକାର ଚିନ୍ତିତ ଅଛନ୍ତି।

Image Courtesy of Khaleej Times

‘ଏବିସି ନିଉଜ୍‌’ ରିପୋର୍ଟ ଅନୁସାରେ, ପଣବନ୍ଦୀକାରୀଙ୍କ ପାଖରେ ଅସ୍ତ୍ର ରହିଛି ଏବଂ ସେ ଅଜ୍ଞାତ ସ୍ଥାନରେ ବୋମା ରଖିଥିବା ଦାବି କରିଛନ୍ତି। ପଣବନ୍ଦୀକାରୀ ବ୍ୟକ୍ତିଜଣକ ଆଫିଆ ସିଦ୍ଦିକ୍ବି ନାମ୍ନୀ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଦାବି କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରକାଶ ପାଉଥିବା ‘ଟାବ୍‌ଲଏଡ୍‌’ରେ ଆଫିଆଙ୍କୁ ‘ଲେଡି କାଏଦା’ ଭାବେ ବର୍ଣ୍ଣନା କରାଯାଇଥାଏ।

ସୂଚନାଯୋଗ୍ୟ, ସିଦ୍ଦିକ୍ବି ହେଉଛନ୍ତି ଜଣେ ପାକିସ୍ତାନୀ ବୈଜ୍ଞାନିକ। ଆଫଗାନିସ୍ତାନରେ ଜଣେ ଆମେରିକୀୟ ଅଫିସର୍‌ଙ୍କୁ ହତ୍ୟା କରିବା ଉଦ୍ୟମ ଲାଗି ତାଙ୍କୁ ନ୍ୟୁୟର୍କ କୋର୍ଟ ୨୦୧୦ରେ ୮୬ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ସମ୍ପ୍ରତି ସେ ଟେକ୍ସାସ୍‌ସ୍ଥିତ ଫୋର୍ଟ ୱର୍ଥରେ ଥିବା ‘ଫେଡେରାଲ୍‌ ମେଡିକାଲ୍‌ ସେଣ୍ଟର୍‌’ରେ କଏଦୀ ଭାବେ ଅଛନ୍ତି।

ସମ୍ବନ୍ଧିତ ଖବର