ନାଇଜର୍‌ ହାଟରେ ସଶସ୍ତ୍ର ବାଇକ୍‌ ଆରୋହୀଙ୍କ ଗୁଳି ଚୋଟରେ ଅନ୍ୟୂନ ୫୮ ବ୍ୟକ୍ତି ନିହତ

ନିଆମି: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜର୍‌ର ଏକ ହାଟପାଳିରୁ ଫେରୁଥିବା ଦଳେ ସାଧାରଣ ନାଗରିକଙ୍କ ଉପରକୁ ମୋଟର୍‌ସାଇକେଲ୍‌ ଆରୋହୀ ସଶସ୍ତ୍ର ବ୍ୟକ୍ତିମାନେ ଗୁଳି ଚଳାଇବାରୁ ଅନ୍ୟୂନ ୫୮ଜଣ ବିକ୍ରେତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଆତତାୟୀମାନେ ସେଠାରେ ଥିବା ପଣ୍ୟାଗାରଗୁଡ଼ିକୁ ପୋଡ଼ି ପକାଇଥିବା କଥା ସରକାର କହିଛନ୍ତି।

ସୋମବାର ଦିନ ଘଟିଥିବା ଏହି ନରସଂହାର ପାଇଁ ଏ ପର୍ଯ୍ୟନ୍ତ କୌଣସି ସଙ୍ଗଠନ ଦାୟୀ ବୋଲି ଦାବି କରି ନାହାନ୍ତି। କିନ୍ତୁ, ଘଟଣାଟି ଘଟିଥିବା ତିଲ୍ଲାବେରି ଅଞ୍ଚଳରେ ‘ଗ୍ରେଟର୍‌ ସାହାରା ସଙ୍ଗଠନ’ର ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଉଗ୍ରପନ୍ଥୀମାନେ ସକ୍ରିୟ ଅଛନ୍ତି।

ମାଲି ଦେଶ ସହ ନାଇଜର୍‌ର ସୀମାବିବାଦ ଲାଗିଥିବା ଅଞ୍ଚଳ ଅର୍ନ୍ତଗତ ବାନିବାଙ୍ଗୋ ଗୋରୁହାଟରୁ ଆକ୍ରମଣର ସରବ୍ୟ ହୋଇଥିବା ଲୋକମାନେ ଘରକୁ ଫେରୁଥିଲେ। ଏଥିସହ ସନ୍ଦିଗ୍ଧମାନେ ମୂଲ୍ୟବାନ ଖାଦ୍ୟସାମଗ୍ରୀ ଗଚ୍ଛିତ ରଖାଯାଉଥିବା ପଣ୍ୟାଗାରଗୁଡ଼ିକୁ ମଧ୍ୟ ପୋଡ଼ି ନଷ୍ଟ କରି ଦେଇଛନ୍ତି।

Image Courtesy of Yahoo Finance

ନିହତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସରକାର ତିନି ଦିନ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରିଥିବା କଥା ସରକାରୀ ମୁଖପାତ୍ର ଅବ୍‌ଦୌରାହମନ୍‌ ଜାକାରିଆ କହିଛନ୍ତି।

ଏହି ଆକ୍ରମଣ ଗତ ଫେବ୍ରୁଆରିରେ ନିର୍ବାଚିତ ହୋଇ କ୍ଷମତାସୀନ ହୋଇଥିବା ନୂତନ ରାଷ୍ଟ୍ରପତି ମହମଦ୍‌ ବାଜୌମ୍‌ଙ୍କ ପାଇଁ ଏକ ଆହ୍ଵାନ ଭାବେ ଉଭା ହୋଇଛି। ସମୀକ୍ଷକମାନଙ୍କ କହିବା ଅନୁସାରେ, ତିଲ୍ଲାବେରି ଅଞ୍ଚଳରେ କେବଳ ଜିହାଦୀମାନେ ସକ୍ରିୟ ନାହାନ୍ତି, ଉକ୍ତ ଉଗ୍ରପନ୍ଥୀମାନଙ୍କ ମୁକାବିଲା କରିବାକୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସେଠାକାର ଆଦିମ ଜନଜାତି ପ୍ରଜାତିଙ୍କୁ ମଧ୍ୟ ବିଦ୍ରୋହୀ କରାଉଛି।

ସମ୍ବନ୍ଧିତ ଖବର