ରାଞ୍ଚି: ଶନିବାର ରାତିରେ ଝାଡ଼ଖଣ୍ଡର ଡାଲ୍‌ଟନ୍‌ଗଞ୍ଜ ଷ୍ଟେସନ୍‌ ନିକଟରେ ସଶସ୍ତ୍ର ଦୁର୍ବୃତ୍ତମାନେ ‘ସମ୍ବଲପୁର-ଜମ୍ମୁ ତୱୀ ଏକ୍ସପ୍ରେସ୍‌’ର ଅନ୍ୟୂନ ୨ଟି ସ୍ଲିପର୍‌ କୋଚ୍‌ରେ ଲୁଟ୍‌ କରିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଗୁଳି ଚଳାଇବାରୁ ୨ଜଣ ଯାତ୍ରୀ ଆହତ ହୋଇଛନ୍ତି।

‘ଇଟିଭି ଭାରତ ମରାଠୀ’ ରିପୋର୍ଟ ଅନୁସାରେ, ଘଟଣାଟି ଲାତେହାର୍‌ ବରୱାଡୀହ୍‌ ରେଳବାଇ ଷ୍ଟେସନ୍‌ ମଧ୍ୟରେ ଘଟିଛି। ଦୁର୍ବୃତ୍ତମାନେ ପ୍ରାୟ ୩୫ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଲୁଟ୍‌ପାଟ ଚଳାଇଥିଲେ।

Sambalpur-Jammutawi Express Image Courtesy of Times of India

‘ପ୍ରଭାତ ଖବର’ ରିପୋର୍ଟ ଅନୁସାରେ, ଶନିବାର ରାତି ପ୍ରାୟ ୧୧.୩୦ରେ ଟ୍ରେନ୍‌ ଲାତେହାର ଷ୍ଟେସନ୍ ଅତିକ୍ରମ କରିଯିବା ପରେ ୧୦/୧୨ଜଣ ଦୁର୍ବୃତ୍ତ ସ୍ଲିପର୍‌ ବଗିରେ ପ୍ରବେଶ କରିଥିଲେ। ସେମାନେ ଯାତ୍ରୀମାନଙ୍କଠାରୁ ଅଳଙ୍କାର ସମେତ ୧୦ ଲକ୍ଷ ଟଙ୍କା ଲୁଟ୍‌ କରିନେଇଛନ୍ତି। ବଗିରେ ସେମାନେ ୮/୧୦ ରାଉଣ୍ଡ୍‌ ଗୁଳି ବି ଫୁଟାଇଥିଲେ। ଘଟଣାସ୍ଥଳରୁ ପୁଲିସ ୨ଟି ଖୋକା ଉଦ୍ଧାର କରିଛି।

ଏସ୍‌-୯ ବଗି ଭିତରେ ଦୁର୍ବୃତ୍ତମାନେ ପ୍ରାୟ ୪୫ ମିନିଟ୍‌ କାଳ ଲୁଟତରାଜ କରିବା ସହିତ ମହିଳା ଯାତ୍ରୀମାନଙ୍କ ସହିତ ଅସଦାଚରଣ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ଗାଳିଗୁଲଜ ମାରଧର କରିବା ସହିତ ପିଲାମାନଙ୍କୁ ବି ମାଡ଼ ମାରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଆହତ ହୋଇଥିବା ପ୍ରାୟ ୬ଜଣ ଯାତ୍ରୀ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।