ଭୁଟାନକୁ ଅସ୍ତ୍ର କରିବା ଚୀନ୍‌ ପାଇଁ ବୁମେରାଂ ପାଲଟିଲା

ନୂଆଦିଲ୍ଲୀ : ଭାରତକୁ ବିବାଦ ଘେରକୁ ଟାଣିବା ଲାଗି ଚୀନୀ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଭୁଟାନ ସହ ବଢ଼ାଇବାକୁ ଚାହିଥିବା ସୀମାବିବାଦ ଏବେ ବୁମେରାଂ ପାଲଟିଛି। ବରଂ ଏହାଦ୍ବାରା ଭୁଟାନ୍‌ ଭାରତର ଅଧିକ ନିକଟତର ହୋଇଥିବା ଚର୍ଚ୍ଚା ହେଉଛି। ୨୦୧୭ ମସିହା ଡୋକଲାମ୍‌ଠାରେ ଚୀନ୍‌ ଓ ଭାରତ ସେନା ମଧ୍ୟରେ ସଂଘଟିତ ମୁହାଁମୁହିଁ ପରିସ୍ଥିତି ସହ ଅଯଥାରେ ଜଡ଼ିତ ହୋଇଥିବା ଭୁଟାନ୍‌ ଏଥର ଚୀନ୍‌ ଚାଲ୍‌ରେ ଛଳି ନଯାଇ ନୂଆଦିଲ୍ଲୀ ପ୍ରଶାସନ ସହ ନିବିଡ଼ ହେବାକୁ ଚେଷ୍ଟା କରିଥିବା କୂଟନୈତିକ ମହଲରେ ଆଲୋଚିତ ହେଉଛି। ଭୌଗୋଳିକ ଦୃଷ୍ଟିକୋଣରୁ ନିଜର ସୂକ୍ଷ୍ମ ସତ୍ତାକୁ ଅକ୍ଷୁଣ୍ଣ ରଖିବା ଲାଗି ଥିମ୍ପୁ ପ୍ରଶାସନ ଦୁଇ ବୃହତ୍‌ ଦେଶ ଭାରତ ଏବଂ ଚୀନ୍ ସହ ଉତ୍ତମ ସମ୍ପର୍କ ବଜାୟ ରଖିବାକୁ ଚାହୁଛି। ତେଣୁ ଭାରତ-ଚୀନ୍‌ ବ୍ୟାପାରରେ ଭୁଟାନ୍‌ କୌଣସି ଏଣୁତେଣୁ କଥା ନକହି ବିଗତ ଦୁଇ ତିନି ବର୍ଷ ହେଲା ନିରାପଦ ନିରବତା ଅବଲମ୍ବନ କରିଆସିଛି। ତେବେ ମାସେ ହେଲା ନିଜର ଏଭଳି ନିରପେକ୍ଷ ଆଭିମୁଖ୍ୟରେ ଭୁଟାନ୍ ପରିବର୍ତ୍ତନ ଆଣିଛି।

ସୂଚନା ଥାଉ କି, ଗତ ଜୁନ୍‌ ମାସରେ ଆମେରିକା ସ୍ଥିତ ଆନ୍ତର୍ଜାତିକ ପାଣ୍ଠି ଗ୍ଲୋବାଲ୍‌ ଏନ୍‌ଭାରନ୍‌ମେଣ୍ଟ ବୈଠକରେ ନିଜର ସାକତେଙ୍ଗ ଅଭୟାରଣ୍ୟ ପାଇଁ ଭୁଟାନ୍‌ କର୍ତ୍ତୃପକ୍ଷ ଅଧିକ ପାଣ୍ଠି ଲୋଡ଼ିଥିଲେ। ମାତ୍ର ସେଠାରେ ଚୀନୀ ପ୍ରତିନିଧି ଏଥିରେ ପ୍ରତିବାଦ ଉଠାଇ ୬୫୦ ବର୍ଗକିମି. ଉକ୍ତ ଅଭୟାରଣ୍ୟ ପାଇଁ ଭୁଟାନ ସହ ବିବାଦ ରହିଛି ବୋଲି ସୂଚାଇଥିଲେ। ପେକିଂର ଏପରି ନୂତନ ସୀମା ଦାବି ପରେ ଭୁଟାନ ନିଜର ଉତ୍ତର ଦିଗର ପଡ଼ୋଶୀ ତଥା ୨୫୦ ଗୁଣ ବୃହଦକାୟ ଚୀନ୍‌ଠାରୁ କୌଣସି ପ୍ରକାର ଅନୁକୂଳ ସହାନୁଭୂତି ମିଳିବନି ବୋଲି ହୃଦୟଙ୍ଗମ କରିପାରିଛି। ଚୀନ୍‌କୁ କୌଣସି ପ୍ରକାର ସନ୍ତୁଷ୍ଟ କରିବା ଅର୍ଥ ନିଜର ସୀମା ସାର୍ବଭୌମକୁ ଜଳାଞ୍ଜଳି ଦେବା ସହ ସମାନ ହେବ ବୋଲି ଥିମ୍ପୁ ପ୍ରଶାସନ ଅନୁଭବ କରୁଛନ୍ତି। ଚୀନ୍‌ର ଏହି ନୂତନ ସୀମା ଦାବିକୁ ବିରୋଧ କରି ଭୁଟାନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ସ୍ଥିତ ଚୀନୀ ଦୂତାବାସ ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି ଏବଂ ଏ ବାବଦ ଆଲୋଚନା ପରବର୍ତ୍ତୀ ସୀମା ବୈଠକରେ କରିବାକୁ ଆହ୍ବାନ କରିଛନ୍ତି। ସ୍ମରଣଯୋଗ୍ୟ, ଦୁଇ ଦେଶ ଭିତରେ ୧୯୮୪ରୁ ସୀମା ବିବାଦ ସଂକ୍ରାନ୍ତ ୨୪ ଥର ଆଲୋଚନା ହୋଇଥିଲେ ହେଁ ତାହାର ସମାଧାନ ହୋଇପାରିନି। ଏଥିରେ ଭୁଟାନ୍‌ର ପଶ୍ଚିମାଞ୍ଚଳରେ ଥିବା ଡୋକଲାମ୍‌, ସିଞ୍ଚୁଲଙ୍ଗ, ଦ୍ରମାନା ଓ ସଖାତୋ ଆଦି ୨୬୯ ବର୍ଗକିମି ପରିମିତ ଅଞ୍ଚଳକୁ ନେଇଯାଇ ଚୀନ୍‌ ଦାବି କରିଆସୁଥିବା ଭୁଟାନ୍‌ର ଉତ୍ତରଭାଗସ୍ଥ ପସାମଲଙ୍ଗ ଓ ଜାକରଲୁଙ୍ଗ ଉପତ୍ୟକାକୁ ଛାଡ଼ିଦେବ ବୋଲି ପ୍ରସ୍ତାବ ରଖି ଆସିଛି। ମାତ୍ର ଭୁଟାନ ତାହାକୁ ପ୍ରତ୍ୟାଖ୍ୟାନ କରି ଆସିଛି।

ସମ୍ବନ୍ଧିତ ଖବର