ମହାରାଷ୍ଟ୍ର ତଟରୁ ଅସ୍ତ୍ର ବୋଝେଇ ବୋଟ୍‌ ଜବତ: ଆତଙ୍କବାଦୀ ଲିଙ୍କ୍‌ ନେଇ‌ ଖୋଳତାଡ଼ ଆରମ୍ଭ

୩ଟି ଏକେ- ୪୭, ଗୁଳି ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ହରିହ‌ରେଶ୍ବର ବେଳାଭୂମିରୁ ଆଜି ଏକ ଅସ୍ତ୍ର ବୋଝେଇ ବୋଟ୍‌ ମିଳିଛି। ବୋଟ୍‌ରୁ ୩ଟି ଏକେ-୪୭ ରାଇଫଲ୍‌ ଏବଂ ପ୍ରାୟ ୧୦ଟି ବକ୍ସ ମିଳିଛି। ଏହି ବକ୍ସଗୁଡ଼ିକରେ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଛି। ଏହା ଏକ ସନ୍ଦିଗ୍ଧ ଆତଙ୍କବାଦୀ ବୋଟ୍‌ ବୋଲି କୁହାଯାଉଛି। କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହି ମାମଲାରେ ଆତଙ୍କବାଦୀ ଲିଙ୍କ୍‌ ନେଇ ଖୋଳତାଡ଼ ଚାଲିଛି। ରାୟଗଡ଼ ଏସ୍‌ପି ଅଶୋକ ଡି ମଧ୍ୟ ‌ବୋଟ୍‌ରେ ଏକେ ୪୭ ଥିବା ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଏହି ବୋଟ୍‌ଟି ଅଷ୍ଟ୍ରେଲିଆ ନିର୍ମିତ। ଜଣେ ଅଷ୍ଟ୍ରେଲିଆ ମହିଳା ଏହି ବୋଟ୍‌ର ମାଲିକ ଏବଂ ତାଙ୍କ ସ୍ବାମୀ ଏହାର କ୍ୟାପ୍‌ଟେନ। ବୋଟ୍‌ ଠାବ ହେବାପରେ ରାୟଗଡ଼ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାୟଗଡ଼ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି ଏବଂ ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପୁଲିସ ଅନୁଯାୟୀ ନିକଟସ୍ଥ ଅଞ୍ଚଳରୁ ଆଉ ଏକ ଖାଲି ବୋଟ୍‌ ମଧ୍ୟ ମିଳିଛି। ତଟରକ୍ଷୀ ବାହିନୀ ଏବଂ ମହାରାଷ୍ଟ୍ର ମାରିଟାଇମ୍‌ ବୋର୍ଡକୁ ଏନେଇ ଅବଗତ କରାଯାଇଛି। ବୋଟ୍‌ଟି ମୁମ୍ବାଇଠାରୁ ୨୦୦ କିମି ଦୂରରେ ମିଳିଛି। ପ୍ରଥମେ ଏହି ବୋଟ୍‌ଟିକୁ ସ୍ଥାନୀୟ ଲୋକମାନେ ଦେଖିବାପରେ ପୁଲିସକୁ ଅବଗତ କରିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ବୋଟ୍‌ଟି ମସ୍କଟରୁ ୟୁରୋପକୁ ଯାଉଥିଲା। ବୋଟ୍‌ର ଇଂଜିନରେ ତ୍ରୁଟି ଦେଖାଦେବାରୁ ବୋଟ୍‌ରେ ଥିବା‌ ଲୋକମାନଙ୍କୁ ଏକ କୋରିଆ ଯୁଦ୍ଧଜାହାଜ ଦ୍ବାରା ଉଦ୍ଧାର କରାଯାଇଥିଲା । ବୋଟ୍‌ରେ ଏକ ଷ୍ଟିକର ଲାଗିଛି। ଏହି ଷ୍ଟିକର୍‌ରେ ନେପଚୁନ୍‌ ମାରିଟାଇମ ସିକ୍ୟୁରିଟି ଲେଖା ଅଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ଉକ୍ତ ମାମଲାରେ ଆତଙ୍କବାଦୀ ଲିଙ୍କ୍‌ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହୋଇପାରି ନାହିଁ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି। କିନ୍ତୁ ଆତଙ୍କବାଦୀ ଲିଙ୍କ୍‌କୁ ଖଣ୍ଡନ କରାଯାଇ ନାହିଁ। ସମସ୍ତ ପୁଲିସ ଅଧିକାରୀଙ୍କୁ ଏନେଇ ହାଇ ଆଲର୍ଟ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀଙ୍କ ସହ ଲଗାତାର ଯୋଗାଯୋଗ କରାଯାଉଛି ବୋଲି ଫଡ଼ନାବିସ କହିଛନ୍ତି।

ସମ୍ବନ୍ଧିତ ଖବର