ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣ ହେବାର ୧୦ ଦିନ ପରେ ଏକ ବନ୍ଧୁକ ଏବଂ ବେଆଇନ ଅସ୍ତ୍ର ଚୋରାଚାଲାଣ ଷଡ୍ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ପାକିସ୍ତାନ, ଚୀନ୍ ଏବଂ ତୁର୍କୀ ସହ ଜଡ଼ିତ ଥିବା ଏକ ବଡ଼ ଧରଣର ଅସ୍ତ୍ର ଚୋରାଚାଲାଣ ରୢାକେଟ୍ର ପର୍ଦ୍ଦାଫାସ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଏହି ସମଗ୍ର ନେଟୱର୍କ ପଛରେ ହାତ ଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ମନଦୀପ, ଦଲବିନ୍ଦର, ରୋହନ ଏବଂ ଅଜୟ। ସେମାନଙ୍କ ନିକଟରୁ ଚୀନ୍ ନିର୍ମିତ ୧୦ଟି ଅତ୍ୟାଧୁନିକ ବନ୍ଧୁକ ସହ ୯୨ ଲାଇଭ କାଟ୍ରିଜ ଜବତ କରାଯାଇଛି। ଜବତ ହୋଇଥିବା ପିସ୍ତଲ ମଧ୍ୟରେ ରହିଛି ତୁର୍କୀ ନିର୍ମିତ ପିଏକ୍ସ-୫.୭ ଏବଂ ଚୀନ୍ ନିର୍ମିତ ପିଏକ୍ସ-୩। ଜବତ ପିସ୍ତଲ ମଧ୍ୟରୁ ୩ଟି ପିସ୍ତଲ ଅତ୍ୟନ୍ତ ବିପଜ୍ଜନକ। ଏଗୁଡ଼ିକୁ ସାଧାରଣରେ ସ୍ବତନ୍ତ୍ର ବାହିନୀ ଦ୍ବାରା ବ୍ୟବହାର କରାଯାଏ।
ଉକ୍ତ ଗୋଷ୍ଠୀ ଆଇଏସ୍ଆଇ ସହ ସିଧାସଳଖ ଜଡ଼ିତ। ପୁଲିସ ଏବେ ଏହି ସମଗ୍ର ନେଟୱର୍କକୁ ଅଚଳ କରିଦେବାପାଇଁ କାର୍ଯ୍ୟ କରୁଛି। ଜଣେ ବରିଷ୍ଠ ଅଫିସର କହିଛନ୍ତି, ଏହି ବନ୍ଧୁକଗୁଡ଼ିକ ତୁର୍କୀ ଏବଂ ଚୀନ୍ ଦ୍ବାରା ନିର୍ମାଣ କରାଯାଇଛି ଏବଂ ଆଇଏସ୍ଆଇ ଦ୍ବାରା ଏଗୁଡ଼ିକୁ ଭାରତକୁ ଚୋରାଚାଲାଣ କରାଯାଉଥିଲା। ଏହା ମଧ୍ୟ ଜଣାପଡ଼ିଛି ଯେ ଅସ୍ତ୍ରଗୁଡ଼ିକୁ ପଞ୍ଜାବ ଦେଇ ପାକିସ୍ତାନରୁ ଦିଲ୍ଲୀକୁ ପଠାଯାଉଥିଲା। ଆକ୍ରମଣକାରୀ ଏଗଡ଼ିକୁ ଡ୍ରୋନ୍ ବ୍ୟବହାର କରି ପଂଜାବ ସୀମା ନିକଟରେ ପକାଉଥିଲେ। ସେଠାରୁ ଏହି ପିସ୍ତଲ ଦିଲ୍ଲୀ ଆଣି ଅପରାଧୀଙ୍କୁ ଯୋଗାଯାଉଥିବା ଜଣାପଡ଼ିଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/sfhfhfhxbv-2025-11-23-03-25-51.jpg)